ରାଉରକେଲା ଏୟାରଷ୍ଟ୍ରିପ୍କୁ ଏକ ପୂର୍ଣ୍ଣାଙ୍ଗ ବାଣିଜ୍ୟିକ ବିମାନ ବନ୍ଦର ରେ ପରିଣତ କରିବା ପାଇଁ ମଞ୍ଜୁରୀ ମିଳିଛି। ଗୁରୁବାର ଓଡ଼ିଶା ବିଧାନସଭାରେ ରାଜ୍ୟ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ମଧ୍ୟ ଏହି ଏୟାରଷ୍ଟ୍ରିପ୍ର ଉନ୍ନତୀକରଣ ନିମନ୍ତେ ବଜେଟ୍ରେ ଅର୍ଥ ବରାଦ ହୋଇଥିବା ଏବଂ କେନ୍ଦ୍ର ସରକାରଙ୍କ ସହ ଯୋଗାଯୋଗ ଚାଲିଥିବା ନେଇ ସୂଚନା ଦେଇଛନ୍ତି।
ବିଧାୟକଙ୍କ ପ୍ରଶ୍ନର ଲିଖିତ ଉତ୍ତର ଦେଇ ମନ୍ତ୍ରୀ କହିଛନ୍ତି କି ବିମାନ ବନ୍ଦରର ବ୍ୟାପକ ସମ୍ପ୍ରସାରଣ ଏବଂ ପୂର୍ଣ୍ଣ ବାଣିଜ୍ୟିକ ଉଡ଼ାଣ ପାଇଁ SAIL (ଷ୍ଟିଲ୍ ଅଥରିଟି ଅଫ୍ ଇଣ୍ଡିଆ) ବୋର୍ଡ ଏହି ଏୟାରଷ୍ଟ୍ରିପ୍କୁ ଭାରତୀୟ ବିମାନ ବନ୍ଦର କର୍ତ୍ତୃପକ୍ଷ (AAI) କୁ ହସ୍ତାନ୍ତର କରିବା ପାଇଁ ମଞ୍ଜୁରୀ ଦେଇସାରିଛି।
ପ୍ରସ୍ତାବିତ ମାଷ୍ଟର ପ୍ଲାନ ଅନୁସାରେ ବର୍ତ୍ତମାନର ରନ୍ୱେକୁ ପ୍ରାୟ ୧,୯୩୦ ମିଟରରୁ ୨,୭୦٠ ମିଟର ପର୍ଯ୍ୟନ୍ତ ବୃଦ୍ଧି କରାଯିବ ଏବଂ ଏହାର ପ୍ରସ୍ଥ ୪୫ ମିଟର ହେବ। ଏହାଦ୍ୱାରା Airbus A320 ଏବଂ Boeing 737 ଭଳି ବଡ଼ ବଡ଼ ବାଣିଜ୍ୟିକ ବିମାନ ଏଠାରେ ସହଜରେ ଅବତରଣ କରିପାରିବେ। ରାତ୍ରିକାଳୀନ ବିମାନ ଚଳାଚଳ ଏବଂ ଖରାପ ପାଗରେ ମଧ୍ୟ ଉଡ଼ାଣ ଜାରି ରଖିବା ପାଇଁ ଏଠାରେ CAT-I ଇନଷ୍ଟ୍ରୁମେଣ୍ଟ ଲ୍ୟାଣ୍ଡିଂ ସିଷ୍ଟମ (ILS) ଏବଂ DVOR ନେଭିଗେସନ ସିଷ୍ଟମ ସ୍ଥାପନ କରାଯିବ। ରାଉରକେଲା ସହିତ ମୟୂରଭଞ୍ଜର ଅମର୍ଦ୍ଦା ରୋଡ୍ ଏୟାରଷ୍ଟ୍ରିପ୍କୁ ମଧ୍ୟ ବିମାନ ବନ୍ଦରରେ ପରିଣତ କରିବା ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଉଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି।