ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ କାନପୁରର ବହୁ ଚର୍ଚ୍ଚିତ କୋଟିପତି ବିନୀତ ମିନୋଚା ହତ୍ୟାକାଣ୍ଡ ଘଟଣାରେ ଗୋଟିଏ ଗୋଟିଏ ପରେ ରହସ୍ୟ ଉପରୁ ପରଦା ହଟୁଛି । ବୋହୂ ପରେ ପୋଲିସ ପୁଅକୁ ଗିରଫ କରିଛି । ପୁଅ ସୁବ୍ରତ ମିନୋଚା (୩୪) ଷଡ଼ଯନ୍ତ୍ର କରି ବାପାକୁ ମାରିଥିବା ସ୍ୱୀକାର କରିଛି । କିନ୍ତୁ ବାପା ମରିବାର ତାଙ୍କ ମନରେ କୌଣସି ଦୁଃଖ ନ ଥିବା କହିଛନ୍ତି ।
ପୁଅ ଦେଇଥିଲା ବାପାର ସୁପାରୀ
ପୋଲିସର ସଦ୍ୟତମ ତଦନ୍ତରୁ ଏହି ମାମଲାରେ ଏକ ବଡ଼ ଟ୍ୱିଷ୍ଟ ସାମ୍ନାକୁ ଆସିଛି । ବାସ୍ତବରେ ବିନୀତଙ୍କ ପୁଅ ସୁବ୍ରତ ମିନୋଚା ହିଁ ଏହି ହତ୍ୟାକାଣ୍ଡର ମାଷ୍ଟରମାଇଣ୍ଡ । ଗତକାଲି ସନ୍ଧ୍ୟାରେ କାନପୁର ପୋଲିସ ସୁବ୍ରତକୁ ଗିରଫ କରିଛି । ସୁବ୍ରତ ଜେରା ବେଳେ ସ୍ୱୀକାର କରିଛି ଯେ ହତ୍ୟାକାଣ୍ଡ ସପ୍ତାହେ ପୂର୍ବରୁ ଷଡ଼ଯନ୍ତ୍ର ରଚିଥିଲା । ଏଥିପାଇଁ ୬ ଲକ୍ଷ ଟଙ୍କାର ସୁପାରୀ ଦେଇଥିଲା। ଆଉ ଧରାପଡ଼ିଗଲେ ନିଜ ସ୍ତ୍ରୀ ଶାଲୁ ମିନୋଚାଙ୍କ ନାମ ନେବାକୁ ସୁପାରୀ କିଲରକୁ ନିର୍ଦ୍ଦେଶ ଦେଇଥିଲା । ଯେଉଁଥିପାଇଁ ହତ୍ୟାକାରୀ ବିଶାଲ ଗୌତମ ବୋହୂ ଶାଲୁର ନାମ ନେଇଥିଲା ।
ଗଳା ଚିପିବା ବଦଳରେ ଭୁଶି ଦେଲେ ଛୁରୀ
ସୁବ୍ରତ ବିଶାଲକୁ କହିଥିଲା ଯେ ଯେତେବେଳେ ସେମାନେ ପାର୍ଟି କରିବାକୁ ଘର ବାହାରକୁ ଚାଲିଯିବେ ସେତେବେଳେ ସେମାନେ ଘରେ ଭିତରେ ପଶିବେ । ଏହା ପରେ ବାପା ଘରକୁ ଆସିଲେ ଜଣେ ହାତ ଧରିବେ ଜଣେ ଗୋଡ଼ ଧରି ତାଙ୍କ ଗଳା ଚିପି ହତ୍ୟା କରିବେ । ଏହାକୁ ପ୍ରାକୃତିକ ମୃତ୍ୟୁ ବୋଲି କହିବେ । ସୁବ୍ରତଙ୍କ କହିବା ମୁତାବତ ବିଶାଲ ନିଜ ସହଯୋଗୀ ଜରିଆରେ ଷଡ଼ଯନ୍ତ୍ରକୁ ହତ୍ୟାର ରୂପ ଦେଇଥିଲା । କିନ୍ତୁ ଗଳା ଚିପିବା ପରିବର୍ତ୍ତେ ଛୁରୀ ଭୁଶି ହତ୍ୟା କରିଥିଲା । ଆଉ ଏହି ହତ୍ୟା ଷଡ଼ଯନ୍ତ୍ର ବିଷୟରେ ଶାଲୂ ନିକଟରେ କିଛି ବି ସୂଚନା ନ ଥିଲା ।
ସୁବ୍ରତଙ୍କ କହିବା ମୁତାବକ ଆରମ୍ଭରୁ ବିଶାଲ ଗୌତମ ମୁଖ୍ୟ ଷଡ଼ଯନ୍ତ୍ରକାରୀ ଶାଲୂ ବୋଲି ପୋଲିସ ଆଗରେ ବୟାନ ଦେଇଥିଲା । ଅନେକ ସମୟ ଜେରା ପରେ ସେ ପୁଅ ସୁବ୍ରତ ମିନୋଚାର ନାମ ପ୍ରକାଶ କରିଥିଲା । ଯେତେବେଳେ ପୋଲିସ ସମସ୍ତଙ୍କୁ ଆମ୍ନାସାମ୍ନା କରିଥିଲା ସେତେବେଳେ ଶାଲୁ କାନ୍ଦି କାନ୍ଦି ସ୍ୱାମୀ ସୁବ୍ରତଙ୍କୁ କହିଥିଲେ ଯେ ନିଜେକୁ ବଞ୍ଚାଇବାକୁ ମୋତେ ଫସାଇ ଦେଲ ।
ସୁବ୍ରତ ଉପରେ ଥିଲା ୪୦ଲକ୍ଷ ଟଙ୍କାର ଋଣ
ତଦନ୍ତରୁ ଜଣାପଡ଼ିଛି ଯେ ସୁବ୍ରତ ଉପେର ୪୦ଲକ୍ଷ ଟଙ୍କାର ଋଣ ଥିଲା । କ୍ରେଡିଟ୍ କାର୍ଡ, ପାର୍ଟି ଏବଂ ଅଏସ୍ ଆରାମରେ ଟଙ୍କା ଉଡ଼ାଇଛନ୍ତି । ଋଣ ଟଙ୍କା ପରିଶୋଧ ପାଇଁ ବାପାଙ୍କୁ ହତ୍ୟା କରିଛି । ଏହା ସହିତ ବାପାଙ୍କର ଅନ୍ୟ ମହିଳାଙ୍କ ସହିତ ମଧ୍ୟ ଅନୈତିକ ସମ୍ପର୍କ ଥିଲା । ସମ୍ପତ୍ତି ଚାଲିଯିବା ଭୟରେ ସେ ଏଭଳି କରିଥିବା ସ୍ୱୀକାର କରିଛି ।
୫ ସେପ୍ଟେମ୍ବର, ଶନିବାର ରାତିରେ କାନପୁରର କଲ୍ୟାଣପୁର ଅଞ୍ଚଳରେ ଥିବା ଅର୍ବିଟ୍ ଆପାର୍ଟମେଣ୍ଟରେ ବ୍ୟବସାୟୀ ବିନୀତ ମିନୋଚାଙ୍କୁ ଛୁରି ଭୁସି ନୃଶଂସ ଭାବେ ହତ୍ୟା କରାଯାଇଥିଲା । ହତ୍ୟାକାରୀ ୨୬ରୁ ଅଧିକ ଥର ଛୁରି ଭୁସି ବିନୀତଙ୍କ ହତ୍ୟା କରିଥିବା ତଦନ୍ତରୁ ଜଣାପଡ଼ିଛି। ଘଟଣା ସମୟରେ ବିନୀତ ଫ୍ଲାଟରେ ଏକାକୀ ଥିଲେ। ରବିବାର ସକାଳ ୪ଟାରେ ଯେତେବେଳେ ପୂଅ-ବୋହୂ ଘରକୁ ଫେରିଲେ ବିନୀତଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଘରେ ପଡ଼ିଥିବା ଦେଖିବାକୁ ପାଇଥିଲେ। ପ୍ରାଥମିକ ସନ୍ଦେହରେ ପୋଲିସ ତାଙ୍କ ବୋହୂ ଶାଲୁ ମିନୋଚାଙ୍କୁ ଗିରଫ କରିଥିଲା । ଶ୍ୱଶୁର ଘର ସାରା ସିସିଟିଭି ଲଗାଇ ବୋହୂର ଗତିବିଧି ଉପରେ ନଜର ରଖୁଥିବାରୁ ଏବଂ ଟଙ୍କା ଖର୍ଚ୍ଚକୁ ନେଇ କଟକଣା କରୁଥିବାରୁ ବୋହୂ ସୁପାରୀ କିଲର୍ ଲଗାଇ ଶ୍ୱଶୁରଙ୍କୁ ହତ୍ୟା କରିଥିଲା । ଏଥିପାଇଁ ବିନୀତଙ୍କ ପୂର୍ବତନ କର୍ମଚାରୀ ବିଶାଲ ଗୌତମ ୬ ଲକ୍ଷ ଟଙ୍କାର ସୁପାରୀ ନେଇଥିଲା ।