ଭୁବନେଶ୍ୱର: ଗୃହରେ ଏମଏମଡିଆର ଓ ପାଠ୍ୟ ପୁସ୍ତକ ତ୍ରୁଟି ପ୍ରସଙ୍ଗରେ ବିଧାନସଭା ମୌସୁମୀ ଅଧିବେଶନର ତୃତୀୟ ଦିବସ ଧୋଇ ଯାଇଛି । ବିରୋଧୀଙ୍କ ହଟ୍ଟଗୋଳ ଏବଂ ନାରାବାଜି ଯୋଗୁଁ ଗୃହ ଚାଲି ପାରୁନାହିଁ । କ୍ରମାଗତ ତିନି ଦିନ ହେବ ଗୃହ ଅଚଳ ହୋଇ ରହିଛି ।
ତୃତୀୟ ଦିନରେ ସାଢ଼େ ଦଶଟାରେ ଗୃହକାର୍ଯ୍ୟ ଆରମ୍ଭ ହେବା କ୍ଷଣି ପ୍ରଶ୍ନକାଳ ଆରମ୍ଭରୁ ବିଜେଡ଼ି ଓ କଂଗ୍ରେସ ସଦସ୍ୟମାନେ ନାରାବାଜି ଆରମ୍ଭ କରିଥିଲେ । ଗତ ଦୁଇ ଦିନ ହେବ ବିଜେଡ଼ି କେବଳ ପାଠ୍ୟ ପୁସ୍ତକୁ ପ୍ରସଙ୍ଗ କରିଥିବାବେଳେ ଆଜି ଏମଏମଡିଆର୍ ସଂଶୋଧନ ଆଇନ ପ୍ରତ୍ୟାହାର ଦାବି ନେଇ କଂଗ୍ରେସ ସ୍ୱରରେ ସ୍ୱର ମିଳାଇ ଥିଲା । ସେହିପରି କଂଗ୍ରେସ ମଧ୍ୟ ଏମ୍ଏମଡିଆର ସଂଶୋଧନ ଆଇନ ପ୍ରସଙ୍ଗରେ ଆଲୋଚନା କରିବାକୁ ଦାବି କରିଥିଲେ । କିଛି ବିରୋଧୀ ଦଳ ସଦସ୍ୟ ରିପୋର୍ଟର୍ସ ଟେବୁଲ ଉପରେ ଚଢ଼ି ଯାଇଥିଲେ । ଆଉ କିଛି ସଦସ୍ୟମାନେ ବାଚସ୍ପତି ପୋଡ଼ିୟମଙ୍କୁ ଚଢ଼ିବାକୁ ଚେଷ୍ଟା କରିଥିଲେ । ଶେଷରେ ବାଧ୍ୟ ହୋଇ ଉପ ବାଚସ୍ପତି ଗୃହକୁ ଅପରାହ୍ନ ୪ଟା ଯାଏ ମୁଲତବୀ ଘୋଷଣା କରିଥିଲେ ।
ଏହା ପରେ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମଙ୍କ ନେତୃତ୍ୱରେ ବିଧାୟକମାନେ ବିଧାନସଭା ପରିସରରେ ଥିବା ଗାନ୍ଧୀ ପ୍ରତିମୂର୍ତ୍ତି ତଳେ ବିରୋଧ ପ୍ରଦର୍ଶନ କରିଥିଲେ । ତିବାଦରେ କଂଗ୍ରେସ ସଦସ୍ୟମାନେ ବ୍ୟାନର ପିନ୍ଧି ଗାନ୍ଧି ମୂର୍ତ୍ତି ତଳେ ଧାରଣା ଦେଇଥିଲେ । ବିଜେଡି ସଦସ୍ୟମାନେ ହାତରେ ବ୍ୟାନର ଧରି ବିଧାନସଭାରୁ ଓଏମସି କାର୍ଯ୍ୟାଳୟ ପର୍ଯ୍ୟନ୍ତ ଶୋଭାଯାତ୍ରା ଯାଇଥିଲେ । ପୁନର୍ବାର ଅପରାହ୍ନ ୪ଟାରେ ଗୃହ କାର୍ଯ୍ୟ ଆରମ୍ଭ ହେବା କ୍ଷଣି ସମାନ ସ୍ଥିତି ଉତ୍ପନ୍ନ ହୋଇଥିଲା । ଫଳରେ ଉପ ବାଚସ୍ପତି ଗୃହକୁ ଶୁକ୍ରବାର ସକାଳ ସାଢେ ଦଶଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି ।
ଚଳିତ ମୌସୁମୀ ଅଧିବେଶନରେ ମାତ୍ର ୯ଟି କାର୍ଯ୍ୟଦିବସ ରହିଛି । ଏଥିମଧ୍ୟରୁ ତିନୋଟି କାର୍ଯ୍ୟଦିବସ ଅଚଳ ହୋଇଥିବାବେଳେ ଆଉ ମାତ୍ର ୬ଟି କାର୍ଯ୍ୟଦିବସ ହାତରେ ରହିଛି । ଏହାରି ମଧ୍ୟରେ ପ୍ରସ୍ତାବିତ ଥିବା ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଲ୍ ଉପରେ ଆଲୋଚନା ହୋଇପାରୁନାହିଁ ।