କଳାହାଣ୍ଡି: ଲଗାଣ ବର୍ଷାରେ ବେହାଲ କଳାହାଣ୍ଡି। ପ୍ରବଳ ବର୍ଷା ଓ ଖରାପ ପାଗକୁ ନଜରରେ ରଖି ଜିଲ୍ଲାର ସମସ୍ତ ସ୍କୁଲ୍କୁ ଆସନ୍ତାକାଲି ମଧ୍ୟ ଛୁଟି ଘୋଷଣା କରାଯାଇଛି। ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ପ୍ରାଥମିକତା ଦେଇ ଜିଲ୍ଲାପାଳ ଏହି ନିଷ୍ପତ୍ତି ନେଇଛନ୍ତି।
ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତର ପ୍ରଭାବରେ କଳାହାଣ୍ଡି ସମେତ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଲଗାଣ ବର୍ଷା ଜାରି ରହିଛି। ଆସନ୍ତାକାଲି ମଧ୍ୟ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଥିବାରୁ ପ୍ରଶାସନ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ନିଆଯାଇଛି।
ବର୍ଷା ଯୋଗୁଁ ଜିଲ୍ଲାର ବିଭିନ୍ନ ସ୍ଥାନରେ ପାଣି ଜମିବା ସହ ରାସ୍ତାଘାଟରେ ଯାତାୟାତ ପ୍ରଭାବିତ ହେବାର ଆଶଙ୍କା ରହିଛି। ଏଭଳି ପରିସ୍ଥିତିରେ ସ୍କୁଲ୍ ଯିବା ସମୟରେ ଛାତ୍ରଛାତ୍ରୀଙ୍କୁ ଯାତାୟାତଜନିତ ସମସ୍ୟା ଓ ବିପଦର ସମ୍ମୁଖୀନ ହେବାକୁ ପଡ଼ିପାରେ।
ତେଣୁ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଆଖି ଆଗରେ ରଖି ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ୍ରେ ଆସନ୍ତାକାଲି ପାଠପଢ଼ା ବନ୍ଦ ରହିବ। ପାଣିପାଗର ସ୍ଥିତି ଓ ବର୍ଷାର ପରିମାଣକୁ ନଜରରେ ରଖି ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ। ବର୍ଷା ଜାରି ରହିଥିବାରୁ ଜିଲ୍ଲାବାସୀଙ୍କୁ ମଧ୍ୟ ସତର୍କ ରହିବା ସହ ଅନାବଶ୍ୟକ ଭାବେ ଘରୁ ବାହାରିବାରୁ ଦୂରେଇ ରହିବାକୁ ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି।