ଭୁବନେଶ୍ୱର: ଓଡ଼ିଶା ବିଜେପିର ସାଙ୍ଗଠନିକ ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ। ବିଜେପି ପକ୍ଷରୁ ବିଭିନ୍ନ ରାଜ୍ୟ ପାଇଁ ନୂଆ ସାଙ୍ଗଠନିକ ଦାୟିତ୍ୱ ଘୋଷଣା କରାଯାଇଛି। ଏହି ନୂଆ ବ୍ୟବସ୍ଥାରେ ଜାତୀୟ ଯୁଗ୍ମ ସାଧାରଣ ସମ୍ପାଦକ (ସଂଗଠନ) ସୌଦାନ ସିଂହଙ୍କୁ ଓଡ଼ିଶା ସମେତ ବିହାର, ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗର ସାଙ୍ଗଠନିକ ଦାୟିତ୍ୱ ମିଳିଛି। ଏହି ଚାରି ରାଜ୍ୟ ପାଇଁ ତାଙ୍କ କେନ୍ଦ୍ର ଭୁବନେଶ୍ୱର ରହିବ।
ନୂଆ ଦାୟିତ୍ୱ ଅନୁଯାୟୀ, ସୌଦାନ ସିଂହ ଓଡ଼ିଶା ସମେତ ଏହି ଚାରି ରାଜ୍ୟରେ ଦଳୀୟ ସାଙ୍ଗଠନିକ କାର୍ଯ୍ୟ, ଆଭ୍ୟନ୍ତରୀଣ ସମନ୍ୱୟ ଏବଂ ସଂଗଠନ ସମ୍ପର୍କିତ କାର୍ଯ୍ୟର ତଦାରଖ କରିବେ। ସେହିପରି ଜାତୀୟ ଯୁଗ୍ମ ସାଧାରଣ ସମ୍ପାଦକ (ସଂଗଠନ) ଶିବପ୍ରକାଶଙ୍କୁ ଆନ୍ଧ୍ରପ୍ରଦେଶ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ଛତିଶଗଡ଼ ଓ ଗୋଆର ସାଙ୍ଗଠନିକ ଦାୟିତ୍ୱ ଦିଆଯାଇଛି। ତାଙ୍କ କେନ୍ଦ୍ର ମୁମ୍ବାଇ ରହିବ।
ଅନ୍ୟପଟେ, ଭି. ସତୀଶଙ୍କୁ ଏସ୍ସି ଓ ଏସ୍ଟି ମୋର୍ଚ୍ଚାର ସାଙ୍ଗଠନିକ ଦାୟିତ୍ୱ ସହ ବିଜେପିର ସଂସଦୀୟ କାର୍ଯ୍ୟାଳୟର ଦାୟିତ୍ୱ ମଧ୍ୟ ଦିଆଯାଇଛି। ଏହା ପୂର୍ବରୁ ଓଡ଼ିଶା ବିଜେପିର ପ୍ରଭାରୀ ଭାବେ ଦଗ୍ଗୁବାଟି ପୁରନ୍ଦେଶ୍ୱରୀ ଏବଂ ସହ-ପ୍ରଭାରୀ ଭାବେ ସ୍ୱଦେଶ ସିଂହଙ୍କୁ ଦାୟିତ୍ୱ ଦିଆଯାଇଥିଲା। ଏବେ ସାଙ୍ଗଠନିକ ଦାୟିତ୍ୱରେ ସୌଦାନ ସିଂହଙ୍କ ନିଯୁକ୍ତି ସହ ଓଡ଼ିଶା ପାଇଁ ବିଜେପିର ନୂଆ ଟିମ୍ର ଚିତ୍ର ସ୍ପଷ୍ଟ ହୋଇଛି।