କନ୍ଧମାଳ: ରାଜ୍ୟରେ ଗଭୀର ଅବପାତରେ ପ୍ରଭାବରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଜାରି ରହିଛି । ଦକ୍ଷିଣ ଓଡ଼ିଶାରେ ମୂଷଳ ଧାରାରେ ବର୍ଷା ସହିତ ପବନର ବେଗ ଅଧିକ ରହିଛି । ପ୍ରବଳ ବର୍ଷା ଓ ଭୂସ୍ଖଳନ ଆଶଙ୍କା ଥିବାରୁ କଳିଙ୍ଗା ଘାଟିରେ ଯାତାୟାତ ଉପରେ କନ୍ଧମାଳ ଜିଲ୍ଲା ପ୍ରଶାସନ ପକ୍ଷରୁ କଟକଣା ଲଗାଯାଇଛି।
ଆଜି କନ୍ଧମାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ପ୍ରକାଶିତ ଆଦେଶନାମା ଅନୁଯାୟୀ, ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ ସୂଚନା ଅନୁସାରେ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।
ଏହା ଦ୍ୱାରା ଗାର୍ଡ ୱାଲ୍ ନଷ୍ଟ ଓ ଭୂସ୍ଖଳନ ଭୟ ରହିଛି । ପ୍ରବଳ ବର୍ଷାରେ କଳିଙ୍ଗା ଘାଟିର ଅନ୍ଧାରିକୋଟ ନିକଟରେ ଥିବା ସୁରକ୍ଷା ପ୍ରାଚୀର (ଗାର୍ଡ ୱାଲ୍) ସମ୍ପୂର୍ଣ୍ଣ ଭାଙ୍ଗିଯାଇଛି, ଯାହା ଫଳରେ ସେଠାରେ ଭୂସ୍ଖଳନ ହେବାର ଆଶଙ୍କା ଦେଖାଦେଇଛି। ଯେକୌଣସି ଅପ୍ରୀତିକର ପରିସ୍ଥିତି ଏବଂ ବିପଦକୁ ଏଡ଼ାଇବା ପାଇଁ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ କଳିଙ୍ଗା ଘାଟିରେ ଯାତାୟାତକୁ ସମ୍ପୂର୍ଣ୍ଣ ନିଷିଦ୍ଧ କରାଯାଇଛି।
ଏହି ରାସ୍ତା ଉପରେ ନଜର ରଖିବାକୁ ପୋଲିସ ମୁତୟନ କରିବା ସହ ଘାଟିରେ ଚାଲିଥିବା ଜାତୀୟ ରାଜପଥ ନିର୍ମାଣ କାର୍ଯ୍ୟ ତୁରନ୍ତ ବନ୍ଦ କରିବାକୁ ଏବଂ ଶ୍ରମିକମାନଙ୍କୁ ସୁରକ୍ଷିତ ସ୍ଥାନକୁ ନେବାକୁ ନିର୍ଦ୍ଦେଶ ଦିଆଯାଇଛି। ସୁରକ୍ଷା ଦୃଷ୍ଟିରୁ ସାଧାରଣ ଲୋକଙ୍କୁ ଏହି ସମୟରେ କଳିଙ୍ଗା ଘାଟି ରାସ୍ତା ବ୍ୟବହାର ନ କରିବାକୁ ପ୍ରଶାସନ ତରଫରୁ ଅନୁରୋଧ କରାଯାଇଛି।