ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ମେଡିସିନ୍ ଦୋକାନ ଉପରେ ଏସଟିଏଫ୍ (STF), ପୋଲିସ ଏବଂ ଡ୍ରଗ୍ସ କଣ୍ଟ୍ରୋଲ ଟିମ୍ ପକ୍ଷରୁ ମିଳିତ ଭାବେ ଚଢ଼ଉ ଓ ଯାଞ୍ଚ କରାଯାଇଛି । ନିଶା ସେବନ ପାଇଁ କିଛି ନିର୍ଦ୍ଦିଷ୍ଟ ଔଷଧର ଅପବ୍ୟବହାରକୁ ରୋକିବା ଲକ୍ଷ୍ୟରେ ପ୍ରଶାସନ ପକ୍ଷରୁ ଏହି କଡ଼ା ପଦକ୍ଷେପ ନିଆଯାଇଛି ।
ବିନା ପ୍ରେସକ୍ରିପସନରେ ଗ୍ରାହକଙ୍କୁ କୌଣସି ପ୍ରକାରର ନିଶା ଜାତୀୟ ବା କଟକଣା ଥିବା ଔଷଧ ବିକ୍ରି କଲେ ଦୋକାନୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦିଆଯାଇଛି । ରାଜଧାନୀରେ ଥିବା ମେଡ଼ିସିନ ଦୋକାନୀ କେତେ ନିଶା ମେଡ଼ିସିନ ଆଣୁଛନ୍ତି? କେତେ ବିକ୍ରି ହେଉଛି ? ଆଉ କେତେ ଦିନ ପର୍ଯ୍ୟନ୍ତ ଏହାର ବୈଧତା ରହିଛି ? ତାହାକୁ ନେଇ ତଦନ୍ତ କରାଯାଇଛି ।
ଏହି ଯାଞ୍ଚର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଯୁବପିଢ଼ିଙ୍କ ମଧ୍ୟରେ ମେଡିସିନକୁ ନିଶା ଭାବେ ବ୍ୟବହାର କରିବାର ପ୍ରବୃତ୍ତିକୁ ରୋକିବା ଏବଂ ସହରରେ ବେଆଇନ ଔଷଧ କାରବାର ଉପରେ ଅଙ୍କୁଶ ଲଗାଇବା ।