କଟକ: ତାଳଦଣ୍ଡା କେନାଲରେ ବୁଡ଼ି ନିଖୋଜ ଥିବା ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ ଯୁବକ ହେଉଛନ୍ତି ଆଦିତ୍ୟ ନାରାୟଣ ପଣ୍ଡା। ତାଙ୍କ ବୟସ ପ୍ରାୟ ୧୮ ବର୍ଷ ବୋଲି ଜଣାପଡ଼ିଛି। ଦୀର୍ଘ ସମୟର ଖୋଜାଖୋଜି ପରେ ଅଗ୍ନିଶମ ବାହିନୀ ତାଙ୍କ ମୃତଦେହ ଉଦ୍ଧାର କରିଛି।
ସୂଚନା ଅନୁଯାୟୀ, ଗତକାଲି ଜଣେ ସାଙ୍ଗଙ୍କ ସହ ତାଳଦଣ୍ଡା କେନାଲରେ ଗାଧୋଉଥିବା ବେଳେ ଆଦିତ୍ୟ ପାଣିରେ ଭାସି ଯାଇଥିଲେ। ଏହାପରେ ସେ ନିଖୋଜ ହୋଇଯାଇଥିଲେ। ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚି କେନାଲରେ ଖୋଜାଖୋଜି ଆରମ୍ଭ କରିଥିଲା।
ତେବେ ରାତି ହୋଇଯିବାରୁ ଉଦ୍ଧାର କାର୍ଯ୍ୟ ବନ୍ଦ ରଖାଯାଇଥିଲା। ଆଜି ସକାଳୁ ପୁଣିଥରେ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା। ଦୀର୍ଘ ସମୟ ଧରି ଖୋଜାଖୋଜି ପରେ ଆଦିତ୍ୟଙ୍କ ମୃତଦେହ ମିଳିଥିଲା। ଏହି ଘଟଣାକୁ ନେଇ ଶୋକର ଛାୟା ଖେଳିଯାଇଛି। ଜଣେ ଯୁବକଙ୍କ ଏଭଳି ଅକାଳ ମୃତ୍ୟୁ ତାଙ୍କ ପରିବାର ଓ ପରିଜନଙ୍କୁ ମର୍ମାହତ କରିଛି।