ଭୁବନେଶ୍ୱର : ମହାନଦୀ ଓ ଶାଖା ନଦୀରେ ଆସୁଛି ବନ୍ୟା। ମହାନଦୀରେ ଜଳପ୍ରବାହ ବଢୁଥିବାରୁ ତାର ଉପନଦୀ ଗୁଡ଼ିକ ମଧ୍ୟ ଫୁଲିବାରେ ଲାଗିଛି। ପ୍ରେସମିଟ୍ରେ ଜଳ ସଂପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀଙ୍କ ଏହି ସୂଚନା ଦେଇଛନ୍ତି। ଆଜି ରାତିରେ ମୁଣ୍ଡଳିରେ ୭ ଲକ୍ଷ କ୍ୟୁସେକ୍ ଜଳ ପ୍ରବାହିତ ହେବ। କାଲି ଦିନ ୧୦ଟା ସୁଦ୍ଧା ୮ ଲକ୍ଷ କ୍ୟୁସେକ୍ ପ୍ରବାହିତ ହେବ। କୌଣସି ପରିସ୍ଥିତିରେ ୮ ଲକ୍ଷ କ୍ୟୁସେକ୍ରୁ ଅଧିକ ଜଳ ନ ଛାଡ଼ିବାକୁ ଚେଷ୍ଟା କରାଯାଉଛି ବୋଲି ଯନ୍ତ୍ରୀ କହିଛନ୍ତି।
ସେହିପରି ଲୁଣା, କରାଣ୍ଡିଆ, ଚିତ୍ରୋତ୍ପଳା, କାଠଯୋଡ଼ି, କୁଆଖାଇରେ ବନ୍ୟା ଆସିବ। ଶାଖା ନଦୀ ଦେବୀ, କନ୍ଦଳ, କୁଶଭଦ୍ରା, ଦୟା, ଭାର୍ଗବୀ, ରାଜୁଆ, ମକରାରେ ମଧ୍ଯ ବନ୍ୟା ରହିବ। ଯେଉଁଥିପାଇଁ ଖୋର୍ଦ୍ଧା, କଟକ, ପୁରୀ, ଜଗତସିଂହପୁରର ତଳିଆ ଅଞ୍ଚଳ ପ୍ରଭାବିତ ହେବ। କେନ୍ଦ୍ରାପଡ଼ାର ପାଟକୁରା, ଗରଦପୁର ମଧ୍ୟ ପ୍ରଭାବିତ ହୋଇପାରେ। ବିଶେଷକରି କଣାସ, ବ୍ରହ୍ମଗିରି, ଗୋପ, ଏରସମା, ବାଲିକୁଦା ପ୍ରଭାବିତ ହେବ। କଟକର ବାଙ୍କୀ, ଆଠଗଡ଼ ଓ ବଡ଼ମ୍ୱା ଅଂଚଳ ଜଳମଗ୍ନ ହେବା ଆଶଙ୍କା ରହିଛି।
ଅନ୍ୟପଟେ ହୀରାକୁଦ ଜଳଭଣ୍ଡାରରୁ ବର୍ତ୍ତମାନ ୨୮ଟି ଗେଟ୍ରେ ବନ୍ୟା ପାଣି ଛଡ଼ା ଯାଇଛି। ହୀରାକୁଦକୁ ଅଧିକ ଜଳ ପ୍ରବେଶ କରୁଛି, ତେଣୁ ଅଧିକ ଗେଟ୍ ଖୋଲାଯାଇପାରେ ବୋଲି ଯନ୍ତ୍ରୀ କହିଛନ୍ତି। ହୀରାକୁଦ ପାଣି ତଳମୁଣ୍ଡରେ ପହଞ୍ଚିବା ପରେ ବନ୍ୟା ସ୍ଥିତି ସୃଷ୍ଟି ହେବା ଆଶଙ୍କା କରାଯାଉଛି।