କଟକ : ଆସନ୍ତାକାଲି କଟକ ଯିବନି ନିଆଳିରେ ପ୍ରସ୍ତୁତ ଛେନା। ପ୍ରତିବାଦ ଓ ଧାରଣା ଡାକରା ଦେଇଛି ଯାଦବ ମହାସଭା। ନିଆଳି ତହସିଲ ଆଗରେ ଧାରଣା ଦେବେ ଛେନା ଓ ପନିର ବ୍ୟବସାୟୀ। ନିଆଳି ଛେନାକୁ ଅଶୁଦ୍ଧ କହି ନିଆଳିକୁ ବଦନାମ୍ କରାଯାଉଥିବା ଅଭିଯୋଗ କରିଛନ୍ତି ବ୍ୟବସାୟୀ। ତେଣୁ ନିଆଳି ଅଞ୍ଚଳରୁ କଟକକୁ ଛେନା ଓ ପନିର ଯୋଗାଣ ବନ୍ଦ ରଖିବା ପାଇଁ ବ୍ୟବସାୟୀ ସଂଘ ନିଷ୍ପତ୍ତି ନେଇଛି ।
ନିଆଳି ଛେନାରେ ମଇଦା ଏବଂ ସର୍ଫ ବା ଡିଟରଜେଣ୍ଟ ପରି ସ୍ୱାସ୍ଥ୍ୟହାନିକାରକ ପଦାର୍ଥ ମିଶ୍ରଣ କରାଯାଉଥିବା ଲାବୋରେଟୋରୀ ରିପୋର୍ଟ ଆସିବା ପରେ ଏହା ଭୁଲ ତଥ୍ଯ ବୋଲି ସଂଘ ଦାବି କରି ଏହି ପଦକ୍ଷେପ ନିଆଯାଇଛି ।
ସୂଚନା ଥାଉକି ଗତ ଅଗଷ୍ଟ ମାସରେ କଟକ ମହାନଗର ନିଗମ (KMC) ଏବଂ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନିଆଳି ଅଞ୍ଚଳରୁ ଆସୁଥିବା ପ୍ରାୟ ୭୩ କ୍ଵିଣ୍ଟାଲ ଅପମିଶ୍ରିତ ପନୀର ଓ ଛେନା ଜବତ କରାଯାଇ ନଷ୍ଟ କରାଯାଇଥିଲା । ଏହାର ନମୁନା ହରିୟାଣାର ଏକ ଲାବୋରେଟୋରୀକୁ ପରୀକ୍ଷା ପାଇଁ ପଠାଯାଇଥିଲା, ଯେଉଁଥିରେ ଡିଟରଜେଣ୍ଟ ଏବଂ ମଇଦା ମିଶିଥିବା ପ୍ରମାଣିତ ହୋଇଛି ।
ଅନ୍ୟପଟେ ଏହି ଘଟଣାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ରାଜ୍ୟ ଖାଦ୍ୟ ସୁରକ୍ଷା କମିଶନରଙ୍କ ନିର୍ଦ୍ଦେଶକ୍ରମେ କଟକ ଜିଲ୍ଲା ଖାଦ୍ୟ ସୁରକ୍ଷା ଅଧିକାରୀ ଅମିତା ଦାସଙ୍କୁ ତୁରନ୍ତ ରାଇରଙ୍ଗପୁରକୁ ବଦଳି କରାଯାଇଛି ।
ଏହି ବିବାଦ ଏବଂ ପ୍ରଶାସନିକ କଟକଣା ଯୋଗୁଁ ନିଆଳିରୁ କଟକକୁ ଛେନା ପଠାଯିବା ସାମୟିକ ଭାବେ ବନ୍ଦ ରହିଛି ।