ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ଶିଳ୍ପାଞ୍ଚଳ ଥାନା ଅନ୍ତର୍ଗତ ଶାସନବାଡ ଗାଁରୁ ବଧୂହତ୍ୟା ଅଭିଯୋଗ ଆସିଛି । ଜଣେ ନବ ବିବାହିତାଙ୍କୁ କୀଟନାଶକ ଦେଇ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତ ମହିଳା ଜଣକ ହେଲେ ପୁରୁଣା ବାଲେଶ୍ଵର ଅଂଚଳର ଅମ୍ବିକା ସ୍ୱାଇଁ । ଶ୍ୱଶୁର ଘର ଲୋକଙ୍କ ବିରୋଧରେ ଅମ୍ବିକାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି । ତାଙ୍କ ସ୍ୱାମୀଙ୍କୁ ପୋଲିସ ଅଟକ ରଖିଛି ।
ଅମ୍ବିକା କୀଟନାଶକ ପିଇ ଦେଇଥିବା ନେଇ ତାଙ୍କ ପରିବାର ଲୋକଙ୍କ ଖବର ଦିଆଯାଇଥିଲା । ଗୁରୁତର ଅବସ୍ଥାରେ ପ୍ରଥମେ ବାଲେଶ୍ୱର ଏଫଏମ୍ ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା ।
ଅମ୍ବିକାଙ୍କ ଭଉଣୀ ଓ ଭିଣୋଇଙ୍କ ଅଭିଯୋଗ ଅନୁସାରେ, ଅମ୍ବିକାଙ୍କୁ ଶାଶୁ ଘର ଲୋକେ ବାରମ୍ବାର ଯୌତୁକ ନିର୍ଯ୍ୟାତନା ଦେଉଥିଲେ । ସ୍ୱାମୀର ରୋଜଗାର କମ୍ ଥିବାରୁ ସେ ସବୁବେଳେ ପରିବାର ଲୋକଙ୍କ ପ୍ରରୋଚନାରେ ସ୍ତ୍ରୀକୁ ମାରପିଟ କରୁଥିଲେ । ଏମିତିକି ଶାଶୁ, ଶ୍ୱଶୁର ଓ ବିବାହିତା ନଣନ୍ଦ ସବୁବେଳେ ଯୌତୁକ କଥାକୁ ନେଇ ମାନସିକ ନିର୍ଯ୍ୟାତନା ଦେଇ ଆସୁଥିଲେ । ଗତକାଲି ତାଙ୍କୁ ଜୋର ଜବରଦସ୍ତ କୀଟନାଶକ ପିଆଇ ଦେଇଥିବା ସେମାନ ଅଭିଯୋଗ କରିଛନ୍ତି ।
ତାଙ୍କ ଭିଣୋଇ କହିଛନ୍ତି ଯେ ବିବାହର ଆରମ୍ଭରୁ ହିଁ ସେମାନେ ନିର୍ଯ୍ୟାତନା ଦେଉଥିଲେ । ଯେଉଁ କୀଟନାଶକକୁ ସରକାର କଟକଣା ଲଗାଇଛନ୍ତି, ସେହି କୀଟନାଶକଙ୍କୁ କାହିଁକି ତାଙ୍କ ଶ୍ୱଶୁର କିଛି ଦିନ ପୂର୍ବରୁ ଘରକୁ ଆଣିଥିଲେ ବୋଲି ସେ ପ୍ରଶ୍ନ କରିଛନ୍ତି ।
ଶିଳ୍ପାଞ୍ଚଳ ଥାନା ପୋଲିସ ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଥିବାବେଳେ ଅମ୍ବିକାଙ୍କ ସ୍ୱାମୀଙ୍କୁ ଅଟକ ରଖିଛନ୍ତି । ତଦନ୍ତ ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ।