ନୂଆଦିଲ୍ଲୀ: ୟୁପିଆଇରେ ୨ ହଜାର ଟଙ୍କା ଉପରେ କାରବାର ଉପରେ ଶୁଳ୍କ ଲଗାଇବା ନେଇ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ଉପରେ କଟକଣା ଲଗାଇବାକୁ ମାନ୍ୟବର ସର୍ବୋଚ୍ଚ ଅଦାଲତ ସ୍ପଷ୍ଟ ଭାବେ ମନା କରିଛନ୍ତି । ସୁପ୍ରିମକୋର୍ଟ କେନ୍ଦ୍ର ସରକାର ଓ ଅନ୍ୟମାନଙ୍କଠାରୁ ଜବାବ ଲୋଡ଼ିଛନ୍ତି।
ସୁପ୍ରିମକୋର୍ଟ ଉଲ୍ଲେଖ କରିଛନ୍ତି ଯେ ଏହି ମାମଲା ଆଇନଗତ ଅପେକ୍ଷା ବୈଷୟିକ ମାମଲା ଅଟେ । କେନ୍ଦ୍ର ତଥା ଅନ୍ୟମାନଙ୍କୁ ଚାରି ସପ୍ତାହ ମଧ୍ୟରେ ସେମାନଙ୍କର ଜବାବ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କୁ ସ୍ପଷ୍ଟ କରିଛନ୍ତି ଯେ ୟୁପିଆଇ ବ୍ୟବହାର କରୁଥିବା ୯୬ ପ୍ରତିଶତ ଉପଭୋକ୍ତା ଏହି ଶୁଳ୍କରୁ ମୁକ୍ତ ଅଛନ୍ତି । ଏହି ନିୟମ ଦ୍ୱାରା ବ୍ୟକ୍ତିରୁ ବ୍ୟକ୍ତି କାରବାର ଉପରେ କୌଣସି ପ୍ରଭାବ ପକାଇବ ନାହିଁ । ବ୍ୟବସାୟୀମାନେ ଯେପରି ଏମଡିଆର ବୋଝ ଗ୍ରାହକଙ୍କ ଉପରେ ନ ପକାନ୍ତି ତାହା ସୁନିଶ୍ଚିତ କରିବାକୁ ବ୍ୟାଙ୍କଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ୟୁପିଆଇ ଆପ୍ଗୁଡ଼ିକୁ ପ୍ଲାଟଫର୍ମ ଫି’ କିମ୍ବା ଲୁକ୍କାୟିତ ଶୁଳ୍କ (hidden charges) ଲାଗୁ କରିବାକୁ ବାରଣ କରାଯାଇଛି।
ଉଲ୍ଲେଖ ଯୋଗ୍ୟ, ଚଳିତ ମାସ ଆରମ୍ଭରେ କେନ୍ଦ୍ର ସରକାର ୟୁପିଆଇ ନିୟମରେ ବଡ଼ ପରିବର୍ତ୍ତନ କରିଥିଲେ । ୨,୦୦୦ ଟଙ୍କାରୁ ଅଧିକ ୟୁପିଆଇ ପେମେଣ୍ଟ ଉପରେ ୦.୪% ମର୍ଚାଣ୍ଟ ଡିସକାଉଣ୍ଟ ରେଟ୍ (ଏମଡିଆର) ବା ବ୍ୟବସାୟିକ ଶୁଳ୍କ ଲାଗୁ ହେବ। ଏହାର ପ୍ରଭାବ ବ୍ୟକ୍ତି-ରୁ-ବ୍ୟକ୍ତି କାରବାର ଉପରେ ପଡ଼ିବ ନାହିଁ । କିନ୍ତୁ ବ୍ୟବସାୟିକ କ୍ଷେତ୍ରରେ ଏହି ନିୟମ ଲାଗୁ ହେବ । ଅକ୍ଟୋବର ୧୫ରୁ ଏହି ନିୟମ ଲାଗୁ ହେବାକୁ ଯାଉଛି ।