ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ତାଙ୍କର ଲୋକପ୍ରିୟ ରେଡିଓ କାର୍ଯ୍ୟକ୍ରମ 'ମନ୍ କି ବାତ୍' ଜରିଆରେ ଦେଶକୁ ସମ୍ବୋଧିତ କରିଛନ୍ତି। ଏହି ଅବସରରେ ସେ ୨୦୧୬ ମସିହାରେ ପାକିସ୍ତାନ ଭିତରେ କରାଯାଇଥିବା ଐତିହାସିକ 'ସର୍ଜିକାଲ୍ ଷ୍ଟ୍ରାଇକ୍'ର ଦଶବର୍ଷ ପୂର୍ତ୍ତି ପ୍ରସଙ୍ଗକୁ ସ୍ମରଣ କରିଛନ୍ତି। ସର୍ଜିକାଲ୍ ଷ୍ଟ୍ରାଇକ୍ ଭାରତର ଆତଙ୍କବାଦ ବିରୋଧୀ ନୀତିର ଏକ ବଡ଼ ଏବଂ କଡ଼ା ଉଦାହରଣ ବୋଲି ସେ କହିଛନ୍ତି।
କାର୍ଯ୍ୟକ୍ରମର ଆରମ୍ଭରେ ଦେଶବାସୀଙ୍କୁ ସ୍ୱାଗତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ 'ମନ୍ କି ବାତ୍' ମାଧ୍ୟମରେ ଦେଶର ସକାରାତ୍ମକ ପ୍ରୟାସ ଏବଂ ଐତିହାସିକ ଉପଲବ୍ଧିଗୁଡ଼ିକୁ ସାମାଜିକ ପ୍ଲାଟଫର୍ମ ଦିଆଯାଇଥାଏ। ଆସନ୍ତାକାଲି ଭାରତର ଏଭଳି ଏକ ସାହସିକ ଐତିହାସିକ ପଦକ୍ଷେପର ୧୦ ବର୍ଷ ପୂର୍ଣ୍ଣ ହେବାକୁ ଯାଉଛି।
୨୦୧୬ ମସିହା ସେପ୍ଟେମ୍ବର ୨୮-୨୯ ତାରିଖ ମଧ୍ୟରାତ୍ରିର ସାହସିକ ଅଭିଯାନକୁ ମନେ ପକାଇ ପ୍ରଧାନମନ୍ତ୍ରୀ କହିଛନ୍ତି, "ଦଶ ବର୍ଷ ପୂର୍ବେ ଭାରତୀୟ ସେନା ନିଜର ବାହାଦୁରୀ ପ୍ରଦର୍ଶନ କରି ଏଲ୍ଓସି ପାର ହୋଇ ପାକିସ୍ତାନ ମାଟିରେ ଆତଙ୍କବାଦୀଙ୍କ ଆଡ୍ଡାଗୁଡ଼ିକୁ ଧ୍ୱଂସ କରିଥିଲା। ଆମର ବୀର ଯବାନମାନଙ୍କ ଏହି କାର୍ଯ୍ୟକୁ ଦେଖି ସମଗ୍ର ବିଶ୍ୱ ଆଶ୍ଚର୍ଯ୍ୟ ହୋଇଯାଇଥିଲା। ଏହି ଷ୍ଟ୍ରାଇକ୍ ପୂରା ବିଶ୍ୱ ଆଗରେ ଭାରତର ଆତଙ୍କବାଦ ବିରୋଧୀ ନୀତିର ଏକ ନୂତନ ମାନଦଣ୍ଡ ସ୍ଥାପନ କରିଥିଲା।
ପୂର୍ବତନ ଆତଙ୍କବାଦୀ ଆକ୍ରମଣ ଏବଂ ସେ ସମୟର ସରକାରୀ ନୀତିଗୁଡ଼ିକୁ ସମାଲୋଚନା କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଏକ ସମୟ ଥିଲା ଯେତେବେଳେ ଭାରତରେ ଭୟଙ୍କର ସିରିଏଲ୍ ବ୍ଲାଷ୍ଟ ହେବା ସାଧାରଣ କଥା ପାଲଟିଥିଲା। ୨୦୦୮ ସେପ୍ଟେମ୍ବର ୧୩ରେ ଦିଲ୍ଲୀ ବ୍ଲାଷ୍ଟ ଏବଂ ପରେ ମୁମ୍ବାଇର 26/11 ଆକ୍ରମଣକୁ ଦେଶବାସୀ କେବେବି ଭୁଲି ପାରିବେ ନାହିଁ। ପୂର୍ବରୁ ଆତଙ୍କବାଦୀ ଆକ୍ରମଣ ପରେ କେବଳ ପାକିସ୍ତାନ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ କୁହାଯାଉଥିଲା, କିନ୍ତୁ କୌଣସି ଦୃଢ଼ ପଦକ୍ଷେପ ନିଆଯାଉ ନଥିଲା।
କିନ୍ତୁ ଆଜିର ଭାରତ ଆତଙ୍କବାଦ ବିରୋଧରେ 'ଜିରୋ-ଟୋଲରାନ୍ସ'ନୀତି ଆପଣାଇଛି ବୋଲି ସ୍ପଷ୍ଟ କରିଛନ୍ତି ପ୍ରଧାନମନ୍ତ୍ରୀ। ସର୍ଜିକାଲ୍ ଷ୍ଟ୍ରାଇକ୍ ଠାରୁ ଆରମ୍ଭ କରି ବାଲାକୋଟ୍ ଏୟାର୍ ଷ୍ଟ୍ରାଇକ୍ ଏବଂ ଅନ୍ୟାନ୍ୟ ଅପରେସନ୍ ମାଧ୍ୟମରେ ଭାରତ ବାରମ୍ବାର ସ୍ପଷ୍ଟ କରିଛି ଯେ, ଯଦି କେହି ଭାରତ ଆଡ଼କୁ ଆଖି ଟୋକିବ, ତେବେ ତାକୁ କଡ଼ା ଜବାବ ଦିଆଯିବ।