ଭୁବନେଶ୍ୱର: ଟ୍ୟୁସନ ଯିବାକୁ କହି ଘରୁ ବାହାରିବା ପରେ ନିଖୋଜ ହୋଇଯାଇଥିବା ଭୁବନେଶ୍ୱରର ୩ ନାବାଳକ ଛାତ୍ରଙ୍କୁ ଶେଷରେ ସୁରକ୍ଷିତ ଭାବେ ଉଦ୍ଧାର କରିଛି କମିଶନରେଟ୍ ପୋଲିସ। ଜଗତସିଂହପୁରରେ ଜଣେ ସମ୍ପର୍କୀୟଙ୍କ ଘରୁ ତିନି ଜଣଙ୍କୁ ଠାବ କରାଯାଇଥିବା ବେଳେ ସମସ୍ତେ ସୁରକ୍ଷିତ ଥିବା ସୂଚନା ମିଳିଛି।
ଏହି ଘଟଣା ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳର ସୀତାନାଥ ଓ ଆଦର୍ଶ ବସ୍ତିର। ନିଖୋଜ ୩ ଛାତ୍ରଙ୍କ ମଧ୍ୟରୁ ୨ ଜଣ ନବମ ଶ୍ରେଣୀ ଓ ଜଣେ ସପ୍ତମ ଶ୍ରେଣୀରେ ପଢ଼ୁଛନ୍ତି। ସେମାନେ ଟ୍ୟୁସନ ପାଇଁ ଘରୁ ବାହାରିଥିଲେ, କିନ୍ତୁ ନିର୍ଦ୍ଧାରିତ ସମୟ ପରେ ଘରକୁ ଫେରିନଥିବାରୁ ପରିବାର ଲୋକେ ପୋଲିସର ଦ୍ୱାରସ୍ଥ ହୋଇଥିଲେ।
ଅଭିଯୋଗ ପାଇବା ପରେ କମିଶନରେଟ୍ ପୋଲିସ ତୁରନ୍ତ ତଦନ୍ତ ଆରମ୍ଭ କରିଥିଲା। ରାସ୍ତାରେ ଲାଗିଥିବା ଏକାଧିକ CCTV କ୍ୟାମେରାର ଫୁଟେଜ୍ ଯାଞ୍ଚ କରିବା ପରେ ଛାତ୍ରମାନେ ଜଗତସିଂହପୁର ଅଭିମୁଖେ ଯାଇଥିବା ସୁରାକ ମିଳିଥିଲା। ଏହାପରେ ପୋଲିସର ଏକ ସ୍ୱତନ୍ତ୍ର ଟିମ୍ ଜଗତସିଂହପୁର ଯାଇ ଖୋଜାଖୋଜି କରିଥିଲା।
ଶେଷରେ ଜଣେ ସମ୍ପର୍କୀୟଙ୍କ ଘରୁ ତିନି ନାବାଳକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା। ପୋଲିସ ସେମାନଙ୍କୁ ଭୁବନେଶ୍ୱରକୁ ଆଣି ପରିବାର ଲୋକଙ୍କ ସହ ମିଶାଇଛି।
ତେବେ ସବୁଠୁ ବଡ଼ ପ୍ରଶ୍ନ ହେଉଛି, ଟ୍ୟୁସନ ଯିବାକୁ କହି ଘରୁ ବାହାରିଥିବା ଏହି ୩ ନାବାଳକ ହଠାତ୍ କାହିଁକି ଜଗତସିଂହପୁର ଚାଲିଯାଇଥିଲେ? ଏହା ପଛରେ କୌଣସି ପୂର୍ବ ଯୋଜନା ଥିଲା କି ନାହିଁ, ସେନେଇ ପୋଲିସ ତଦନ୍ତ ଜାରି ରଖିଛି। ଛାତ୍ରମାନଙ୍କ ସହ ପଚରାଉଚରା କରିବା ସହ ପରିବାର ସଦସ୍ୟଙ୍କଠାରୁ ମଧ୍ୟ ଆବଶ୍ୟକ ତଥ୍ୟ ସଂଗ୍ରହ କରାଯାଉଛି।