ଭୁବନେଶ୍ୱର: ଦୀର୍ଘ ଦିନ ଧରି ଝୁଲି ରହିଥିବା ମହାନଦୀ ଜଳ ବିବାଦର ସମାଧାନ ଦିଗରେ ବଡ଼ ପଦକ୍ଷେପ ନିଆଯିବାକୁ ଯାଉଛି। ଆସନ୍ତା ଅକ୍ଟୋବର ୧ରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ଓଡ଼ିଶା ଓ ଛତିଶଗଡ଼ର ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ ହେବ। ଏହି ବୈଠକରେ ମହାନଦୀ ଜଳ ବଣ୍ଟନ ପ୍ରସଙ୍ଗରେ ଉଭୟ ରାଜ୍ୟ ମଧ୍ୟରେ ଆଲୋଚନା ଆଗକୁ ବଢ଼ିବ ବୋଲି ଆଶା ପ୍ରକାଶ କରିଛନ୍ତି ଓଡ଼ିଶାର ଆଡଭୋକେଟ୍ ଜେନେରାଲ ପୀତାମ୍ବର ଆଚାର୍ଯ୍ୟ।
ସୋମବାର ପୀତାମ୍ବର ଆଚାର୍ଯ୍ୟ କହିଛନ୍ତି ଯେ, ମହାନଦୀ ଜଳ ବିବାଦର ସମାଧାନ ପାଇଁ ପାରସ୍ପରିକ ବୁଝାମଣାର ବାଟ ଖୋଲୁଛି। କେନ୍ଦ୍ରୀୟ ଜଳ ଆୟୋଗ (CWC)ର ସଚିବ ଟ୍ରିବ୍ୟୁନାଲର ନିର୍ଦ୍ଦେଶ ଅନୁଯାୟୀ ପୂର୍ବରୁ ହୋଇଥିବା ଦୁଇଟି ବୈଠକର ବିବରଣୀ ଦାଖଲ କରିଛନ୍ତି ଏବଂ ଟ୍ରିବ୍ୟୁନାଲ ସେହି ତଥ୍ୟକୁ ରେକର୍ଡରେ ଗ୍ରହଣ କରିଛନ୍ତି।
ଦିଲ୍ଲୀରେ ନିର୍ଣ୍ଣାୟକ ଆଲୋଚନା
ଅକ୍ଟୋବର ୧ରେ ଦିଲ୍ଲୀରେ ହେବାକୁ ଥିବା ବୈଠକରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେଓ ସାଇ ସାମିଲ ହେବେ। ଉଭୟ ରାଜ୍ୟର ଜଳ ବଣ୍ଟନ, ଜଳ ସଂରକ୍ଷଣ ଓ ଭବିଷ୍ୟତ ସହଯୋଗକୁ ନେଇ ବିସ୍ତୃତ ଆଲୋଚନା ହେବ ବୋଲି ସୂଚନା ମିଳିଛି।
୧୦ ଦିନ ପୂର୍ବରୁ ମିଳିଥିଲେ ଦୁଇ ମୁଖ୍ୟମନ୍ତ୍ରୀ
ଏହି ବୈଠକ ପୂର୍ବରୁ ଗତ ସେପ୍ଟେମ୍ବର ୨୦ରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେଓ ସାଇ ଭୁବନେଶ୍ୱର ଆସି ମୋହନ ମାଝୀଙ୍କ ସହ ପ୍ରାୟ ଏକ ଘଣ୍ଟା ଧରି ଆଲୋଚନା କରିଥିଲେ। ସେତେବେଳେ ସାଇ କହିଥିଲେ ଯେ, ମହାନଦୀ ଜଳକୁ ନେଇ ଦୁଇ ରାଜ୍ୟ ମଧ୍ୟରେ ବଡ଼ କୌଣସି ସମସ୍ୟା ନାହିଁ ଏବଂ ପାରସ୍ପରିକ ଆଲୋଚନା ମାଧ୍ୟମରେ ଶୀଘ୍ର ସମାଧାନ ବାହାରିବ।
ସେ ଆହୁରି କହିଥିଲେ ଯେ, ଦିଲ୍ଲୀରେ ଉଭୟ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ଅଧିକାରୀମାନେ ପୂର୍ବରୁ ବୈଠକ କରି କେନ୍ଦ୍ରୀୟ ଜଳ ଆୟୋଗର ସୁପାରିସ ଉଭୟ ରାଜ୍ୟର ସ୍ୱାର୍ଥରେ ଥିଲେ ତାହାକୁ ଗ୍ରହଣ କରିବାକୁ ସହମତି ପ୍ରକାଶ କରିଥିଲେ।
ଦୀର୍ଘ ବର୍ଷ ଧରି ମହାନଦୀ ଜଳ ବଣ୍ଟନକୁ ନେଇ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ବିବାଦ ଚାଲିଆସୁଛି। ବର୍ତ୍ତମାନ ମାମଲା ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲରେ ବିଚାରାଧୀନ ଥିବା ବେଳେ, ଅକ୍ଟୋବର ୧ର ବୈଠକକୁ ଏହି ବିବାଦର ସମାଧାନ ଦିଗରେ ଏକ ନିର୍ଣ୍ଣାୟକ ପଦକ୍ଷେପ ଭାବେ ଦେଖାଯାଉଛି।