ଭୁବନେଶ୍ୱର: MMDR Amendment Actକୁ ନେଇ ବିଜେଡିର ଆନ୍ଦୋଳନ ମଧ୍ୟରେ କଡ଼ା ପ୍ରତିକ୍ରିୟା ରଖିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ। ବିରୋଧୀ ଦଳ ଭାବେ ବିଜେଡି ଦାୟିତ୍ୱସମ୍ପନ୍ନ ଆଚରଣ କରିବା ସହ ଆନ୍ଦୋଳନ ପରିବର୍ତ୍ତେ ସରକାରଙ୍କୁ ନିର୍ଦ୍ଦିଷ୍ଟ ପ୍ରସ୍ତାବ ଦେବା ଉଚିତ୍ ବୋଲି ସେ କହିଛନ୍ତି।
ମନମୋହନ ସାମଲଙ୍କ କହିବା ଅନୁସାରେ, ବିଜେଡି ପୂର୍ବରୁ ମଧ୍ୟ ଅନେକ ପ୍ରସଙ୍ଗରେ ବିରୋଧ କରିଆସିଛି। GST ଲାଗୁ ସମୟରେ ମଧ୍ୟ ଦଳ ବିରୋଧ କରିଥିବା ସେ ଦାବି କରିଛନ୍ତି। ସେହିପରି ଖଣି ଓ ରାଜସ୍ୱ ସମ୍ପର୍କିତ ନୀତିକୁ ନେଇ ମଧ୍ୟ ପୂର୍ବରୁ ବିଜେଡି ପକ୍ଷରୁ ଆପତ୍ତି ଉଠାଯାଇଥିବା ସେ କହିଛନ୍ତି।
ମନମୋହନ କହିଛନ୍ତି, ୨୦୧୪ ପରେ କେନ୍ଦ୍ର ସରକାରଙ୍କ ଖଣି ନୀତିକୁ ନେଇ ଓଡ଼ିଶା କ୍ଷତି ସହିବ ବୋଲି ବିରୋଧୀଙ୍କ ପକ୍ଷରୁ ଆଶଙ୍କା ପ୍ରକାଶ ପାଇଥିଲା। ତେବେ ବର୍ତ୍ତମାନ ରାଜ୍ୟକୁ ଖଣି କ୍ଷେତ୍ରରୁ ଅଧିକ ରାଜସ୍ୱ ମିଳୁଛି ବୋଲି ସେ ଦାବି କରିଛନ୍ତି। ଏଭଳି ଦାବି କରାଯାଉଥିଲେ ନିର୍ଦ୍ଦିଷ୍ଟ ହିସାବ ଓ ତଥ୍ୟ ମଧ୍ୟ ଦିଆଯିବା ଆବଶ୍ୟକ ବୋଲି ସେ ମତ ରଖିଛନ୍ତି।
MMDR Amendment Actକୁ ନେଇ ବିଜେଡିର ଲଗାତାର ଆନ୍ଦୋଳନ ପ୍ରସଙ୍ଗରେ ମନମୋହନ କହିଛନ୍ତି ଯେ, ଦାୟିତ୍ୱସମ୍ପନ୍ନ ବିରୋଧୀ ଦଳ ଭାବେ ବିଜେଡି ସରକାରଙ୍କୁ ପ୍ରସ୍ତାବ ଦେଇପାରିଥାନ୍ତା। ରାଜ୍ୟର ସ୍ୱାର୍ଥ ପାଇଁ ଆଉ କଣ ପଦକ୍ଷେପ ନିଆଯାଇପାରିବ, ସେନେଇ ଆଲୋଚନା କରିବାର ଆବଶ୍ୟକତା ଥିବା ସେ କହିଛନ୍ତି।
ଅନ୍ୟପଟେ, MMDR Amendment Act, 2026କୁ ନେଇ ବିଜେଡି ଲଗାତାର ବିରୋଧ କରୁଛି। ଦଳର ଦାବି ହେଉଛି, ଏହି ଆଇନର ପ୍ରଭାବ ରାଜ୍ୟର ଖଣିଜ ସମ୍ପଦ, ଖଣିଜ ଜମି ଉପରେ ଅଧିକାର ଏବଂ ଖଣି ରାଜସ୍ୱ ଉପରେ ପଡ଼ିପାରେ। ଏହି ପ୍ରସଙ୍ଗରେ ବିଧାନସଭାରେ ମଧ୍ୟ ବିରୋଧୀ ବିଜେଡି ଓ କଂଗ୍ରେସ ପ୍ରତିବାଦ କରିଛନ୍ତି ଏବଂ ଗୃହ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି।
ଏହି ବିବାଦ ମଧ୍ୟରେ ରାଜ୍ୟ ସରକାର ବିଧାନସଭାରେ କହିଛନ୍ତି ଯେ, MMDR Amendment Actର ସମ୍ଭାବ୍ୟ ଆର୍ଥିକ ପ୍ରଭାବର ଏପର୍ଯ୍ୟନ୍ତ କୌଣସି ପରିମାଣାତ୍ମକ ଆକଳନ କରାଯାଇନାହିଁ।