କଟକ ରେ ଅପମିଶ୍ରିତ ପନିର କାରବାର ବିରୋଧରେ ଖାଦ୍ୟ ସୁରକ୍ଷା ବିଭାଗ ଓ ପୋଲିସ ପକ୍ଷରୁ ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଲାବୋରେଟୋରି ରିପୋର୍ଟରେ ପନିରରେ ଅପମିଶ୍ରଣ ପ୍ରମାଣିତ ହେବା ପରେ ୧୧ ଜଣଙ୍କ ନାଁରେ ମଧୁପାଟଣା ଥାନାରେ ମାମଲା ରୁଜୁ କରାଯାଇଛି । ସେମାନଙ୍କ ମଧ୍ଯରେ କିଛି କ୍ଷୁଦ୍ର ଚାଷୀ ଓ ଭେଣ୍ଡରଙ୍କ ଅଛନ୍ତି।
କଟକ ସହରକୁ ଏହି ଅପମିଶ୍ରିତ ପନିର ମୁଖ୍ୟତଃ ନିଆଳି ଅଞ୍ଚଳରୁ ଯୋଗାଣ କରାଯାଉଥିଲା । କଟକ ମହାନଗର ନିଗମର ଫୁଡ୍ ସେଫ୍ଟି ଟିମ୍ ବିଭିନ୍ନ ସ୍ଥାନରେ ଚଢ଼ଉ କରି ପ୍ରାୟ ୭୩ କୁଇଣ୍ଟାଲ ଅପମିଶ୍ରିତ ପନିର ଜବତ କରି ସେଗୁଡ଼ିକୁ ନଷ୍ଟ କରିଥିଲେ । ଜବତ ହୋଇଥିବା ପନିରର ନମୁନା ପରୀକ୍ଷା ପରେ ଜଣାପଡ଼ିଛି ଯେ, ଏଥିରେ ଶରୀର ପାଇଁ ଅତ୍ୟନ୍ତ କ୍ଷତିକାରକ ମଇଦା, ଆରାରୁଟ୍ ଓ ଡିଟରଜେଣ୍ଟ ପାଉଡର ଭଳି ପଦାର୍ଥ ମିଶ୍ରଣ କରାଯାଉଥିଲା । ଏହି ଘଟଣା ସାମ୍ନାକୁ ଆସିବା ପରେ ପ୍ରଶାସନ ପକ୍ଷରୁ କଟକ ଜିଲ୍ଲା ମୁଖ୍ୟ ଖାଦ୍ୟ ସୁରକ୍ଷା ଅଧିକାରୀ ଅମିତା ଦାସଙ୍କୁ ମୟୂରଭଞ୍ଜକୁ ବଦଳି କରାଯାଇଛି । ଅସାଧୁ ବ୍ୟବସାୟୀମାନେ ପାର୍ବଣ ଋତୁରେ ଅଧିକ ଲାଭ ପାଇଁ ଲୋକଙ୍କ ସ୍ୱାସ୍ଥ୍ୟ ସହ ଖେଳୁଥିବା ବେଳେ ପ୍ରଶାସନ ଏବେ ସେମାନଙ୍କ ବିରୋଧରେ କଡ଼ା ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।