ନୂଆଦିଲ୍ଲୀ: ମଧ୍ୟ ପ୍ରଦେଶ ଉଜ୍ଜୈନ ସହରରେ ଥିବା ଶାହି ମସଜିଦର ଏକ ଅଂଶ ଭଙ୍ଗା ଯିବାକୁ ନେଇ ହିଂସା ସୃଷ୍ଟି ହୋଇଛି । ମସଜିଦର କାଜିଙ୍କ ସମ୍ମତି ସତ୍ତ୍ୱେ ଏକ ବଡ଼ ଧରଣର ମୁସଲିମ ସମ୍ପ୍ରଦାୟ ଗୋଷ୍ଠୀ ଏକାଠି ହୋଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଆନ୍ଦୋଳନକାରୀ ପଥର ମାଡ଼ କରିଛନ୍ତି । ଫଳରେ ଜଣେ ପୋଲିସ ଗୁରୁତର ଆହତ ହୋଇଥିବାବେଳେ ୧୦ଟି ମାମଲା ରୁଜୁ ହୋଇଛି ।
ଗତକାଲିଠାରୁ ଶାହି ମସଜିଦ ବାହାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିଲା । କିନ୍ତୁ ପ୍ରଶାସନର କଟକଣା ଏବଂ ବ୍ୟାପକ ସୁରକ୍ଷା ଏଠାରେ ବିଫଳ ହୋଇଥିବା ଦେଖାଯାଇଛି । ପୋଲିସ ରାସ୍ତା ଉପରେ ସୁରକ୍ଷା ପାଇଁ ମୁତୟନ ହୋଇଥିବାବେଳେ ବିକ୍ଷୋଭକାରୀ ଛାତ ଉପରୁ ପଥର ମାଡ଼ କରିଥିଲେ । ଫଳରେ ଜଣେ ପୋଲିସ କର୍ମୀ ଗୁରୁତର ଆହତ ହୋଇଛନ୍ତି । ପୋଲିସ ବାଧ୍ୟ ହୋଇ ଲାଠିଚାର୍ଜ କରିବା ସହିତ ଲୁହ ବୁହା ଗ୍ୟାସ୍ ପ୍ରୟୋଗ କରିଥିଲା । ଯାହାପରେ ବିକ୍ଷୋଭକାରୀ ଛତ୍ରଭଙ୍ଗ ଦେଇଥିଲେ । ପୋଲିସ ୧୦ଟି ମାମଲା ରୁଜୁ କରି ୫ ଜଣଙ୍କୁ ଗିରଫ କରିଛି ।
ଅନ୍ୟ ପକ୍ଷରେ ମସଜିଦ କମିଟିର ଆବେଦନକୁ ଇନ୍ଦୋର ହାଇକୋର୍ଟ ଖାରଜ କରିଛନ୍ତି । ଦ୍ୱିତୀୟ ଥର ପାଇଁ କମିଟିର ଆବେଦନ ଖାରଜ ହୋଇଛି । ହାଇକୋର୍ଟ ପ୍ରଶାସନ ନିଷ୍ପତି ଉପରେ କୌଣସି ରାୟ ଦେବାକୁ ମନା କରିଦେଇଛନ୍ତି । କିନ୍ତୁ ପ୍ରଶାସନ ପକ୍ଷରୁ ଦିଆଯାଇଥିବା ପ୍ରତିଶ୍ରୁତି ପୂରଣ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।
ଉଜ୍ଜୈନରେ ସିଂହସ୍ତ-୨୦୨୮ ଆୟୋଜନ ପାଇଁ ରାସ୍ତା ପ୍ରଶସ୍ତିକରଣ କାର୍ଯ୍ୟ କରାଯାଉଛି । କଣ୍ଠାଲ ଛକରୁ ଗୋପାଳ ମନ୍ଦିର ପର୍ଯ୍ୟନ୍ତ ୧୫ ମିଟର ରାସ୍ତା ଚଉଡ଼ା କରାଯାଉଛି । ଯେଉଁଥିପାଇଁ ବାଟରେ ଆସୁଥିବା ଶାହି ମସଜିଦ କିଛି ଅଂଶକୁ ଉଚ୍ଛେଦ କରିବାକୁ ପ୍ରଶାସନ ନିଷ୍ପତ୍ତି ନେଇଛି । ଏଥିପାଇଁ ସହରର କାଜି ଏବଂ ପ୍ରଶାସନ ମଧ୍ୟରେ ସମ୍ମତି ହୋଇଥିଲା । ମସଜିଦର ଅଂଶକୁ ମେସିନରେ ନ ଭାଙ୍ଗି ଲୋକେ ନିଜେ ତାହାକୁ ନିଜ ହାତରେ ଉଚ୍ଛେଦ କରିବେ ବୋଲି ଜିଲ୍ଲାପାଳ କହିଥିଲେ । ଏହା ପରେ ମଧ୍ୟ କାହା ପ୍ରରୋଚନାରେ ହିଂସା ହୋଇଛି ତାହା ସବୁଠାରୁ ବଡ଼ ପ୍ରଶ୍ନ ।