ଭୁବନେଶ୍ୱର: ମହାନଦୀରେ ବନ୍ୟାଜଳ ପ୍ରବାହକୁ ନେଇ ଓଡ଼ିଶାରେ ପୁଣି ଚିନ୍ତା ବଢ଼ିଛି। କଟକ ମୁଣ୍ଡଳୀ ବ୍ୟାରେଜ୍ରେ ସନ୍ଧ୍ୟା ସୁଦ୍ଧା ପ୍ରାୟ ୮ ଲକ୍ଷ କ୍ୟୁସେକ୍ ପାଣି ପ୍ରବାହିତ ହେବାର ଆକଳନ କରାଯାଇଛି। ଜଳସମ୍ପଦ ବିଭାଗର ଇଞ୍ଜିନିୟର-ଇନ୍-ଚିଫ୍ ଦିଲୀପ ରାଉତ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି।
ଦିଲୀପ ରାଉତଙ୍କ ସୂଚନା ଅନୁସାରେ, ଆଜି ଦିନ ୧୨ଟା ସୁଦ୍ଧା ମୁଣ୍ଡଳୀ ଦେଇ ୭ ଲକ୍ଷ ୮୩ ହଜାର କ୍ୟୁସେକ୍ ପାଣି ତଳମୁଣ୍ଡକୁ ପ୍ରବାହିତ ହେଉଥିଲା। ସନ୍ଧ୍ୟା ସୁଦ୍ଧା ଏହା ପ୍ରାୟ ୮ ଲକ୍ଷ କ୍ୟୁସେକ୍ରେ ପହଞ୍ଚିପାରେ। ତେବେ ଏହାପରେ ମହାନଦୀରେ ଜଳ ପରିମାଣ ଧୀରେ ଧୀରେ କମିବା ଆଶା ରହିଥିବାରୁ ଏହାକୁ କିଛିଟା ଆଶ୍ୱସ୍ତିର ଖବର ବୋଲି କୁହାଯାଉଛି।
ଅନ୍ୟ ନଦୀରେ କମୁଛି ଜଳସ୍ତର
ରାଜ୍ୟର ଅନ୍ୟ ପ୍ରମୁଖ ନଦୀଗୁଡ଼ିକର ସ୍ଥିତି ତୁଳନାତ୍ମକ ଭାବେ ଭଲ ରହିଛି। ସୁବର୍ଣ୍ଣରେଖା, ବୁଢ଼ାବଳଙ୍ଗ, ଜଳକା, ବୈତରଣୀ ଓ ସାଳନ୍ଦୀ ନଦୀରେ ଜଳସ୍ତର ହ୍ରାସ ପାଇଛି। ସେହିପରି ବ୍ରାହ୍ମଣୀ ନଦୀରେ ବର୍ତ୍ତମାନ ବନ୍ୟା ଆଶଙ୍କା ନାହିଁ। ଦକ୍ଷିଣ ଓଡ଼ିଶାର ବିଭିନ୍ନ ନଦୀରେ ମଧ୍ୟ ଜଳସ୍ତର ଯଥେଷ୍ଟ କମିଥିବା ସୂଚନା ମିଳିଛି।
୪ ଜିଲ୍ଲାକୁ ଅଧିକ ପ୍ରଭାବ ଆଶଙ୍କା
ମହାନଦୀରେ ବଢ଼ୁଥିବା ଜଳପ୍ରବାହର ପ୍ରଭାବ ମୁଖ୍ୟତଃ ତଳିଆ ଅଞ୍ଚଳ ଓ ଚାଷଜମି ଉପରେ ପଡ଼ିପାରେ। ବିଶେଷକରି କଟକ, ଖୋର୍ଦ୍ଧା, ପୁରୀ ଓ ଜଗତସିଂହପୁର ଜିଲ୍ଲାର ତଳିଆ ଅଞ୍ଚଳଗୁଡ଼ିକ ପ୍ରଭାବିତ ହେବାର ଆଶଙ୍କା ରହିଛି। ସେହିପରି କେନ୍ଦ୍ରାପଡ଼ା ଜିଲ୍ଲାର ପଟ୍ଟାମୁଣ୍ଡାଇ ଓ ଗରଦପୁର ବ୍ଲକ୍ର କିଛି ତଳିଆ ଅଞ୍ଚଳ ମଧ୍ୟ ବଢ଼ୁଥିବା ଜଳର ସାମାନ୍ୟ ପ୍ରଭାବରେ ଆସିପାରେ।
ମୁଣ୍ଡଳୀରେ ଜଳପ୍ରବାହ ଶୀର୍ଷ ସ୍ତର ଛୁଇଁବାକୁ ଥିବାରୁ ଜିଲ୍ଲା ପ୍ରଶାସନଗୁଡ଼ିକ ସତର୍କ ରହିଛନ୍ତି। ବନ୍ଧବାଡ଼ ଉପରେ ନଜର ରଖିବା ସହ ସମ୍ଭାବ୍ୟ ପ୍ରଭାବିତ ଅଞ୍ଚଳ ପାଇଁ ରିଲିଫ୍ ଓ ଉଦ୍ଧାର ବ୍ୟବସ୍ଥା ପ୍ରସ୍ତୁତ ରଖାଯାଇଛି।