କେନ୍ଦ୍ରାପଡ଼ା : ରାଜନଗର ଭିତରକନିକା ଜଙ୍ଗଲରେ କଙ୍କଡ଼ା ଧରୁଥିବା ବେଳେ ଜଣେ ବୃଦ୍ଧଙ୍କୁ ଆକ୍ରମଣ କଲା କୁମ୍ଭୀର । ସୌଭାଗ୍ୟ ସୌଭାଗ୍ୟବଶତଃ ବନ କର୍ମଚାରୀମାନେ ଦେଖି କୁମ୍ଭୀର ମୁହଁରୁ ବୃଦ୍ଧଙ୍କୁ ଉଦ୍ଧାର କରିଥିଲେ। ଏହାପରେ ସେ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।
ଆକ୍ରମଣର ଶିକାର ହୋଇଥିବା ବୃଦ୍ଧ ଜଣକ ହେଉଛନ୍ତି ମଦନ ବେହେରା (୬୦ ବର୍ଷ) । ଯିଏକି ନିକଟ ବାଙ୍କୁଆଳ ଗାଁର ବାସିନ୍ଦା ଅଟନ୍ତି।
ସୂଚନା ଅନୁଯାୟୀ ମଦନ ଭିତରକନିକା ଜାତୀୟ ଉଦ୍ୟାନର ଜଙ୍ଗଲ ଭିତରେ କଙ୍କଡ଼ା ଧରୁଥିବା ସମୟରେ ଏକ ବଡ଼ ବଉଳା କୁମ୍ଭୀର ହଠାତ୍ ତାଙ୍କ ଉପରକୁ ଝାମ୍ପ ମାରି ତାଙ୍କ ଡାହାଣ ଗୋଡ଼କୁ କାମୁଡ଼ି ଧରିଥିଲା। କୁମ୍ଭୀର ଆକ୍ରମଣ କରିବା ମାତ୍ରେ ବୃଦ୍ଧ ଜଣକ ଜୀବନ ବିକଳରେ ଚିତ୍କାର କରିଥିଲେ। ସେହି ସମୟରେ ସେହି ବାଟ ଦେଇ ଯାଉଥିବା ବନ ବିଭାଗର ପ୍ରାୟ ୧୦ ଜଣ କର୍ମଚାରୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି କୁମ୍ଭୀର ମୁହଁରୁ ତାଙ୍କୁ ଟାଣି ଆଣି ଜୀବନ ବଞ୍ଚାଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ପଟ୍ଟାମୁଣ୍ଡାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତେବେ ବନ ଅଧିକାରୀଙ୍କ କହିବା ଅନୁଯାୟୀ ସଂରକ୍ଷିତ ଜଙ୍ଗଲ ଅଞ୍ଚଳ ଭିତରକୁ ପଶି କଙ୍କଡ଼ା ଧରିବା ବେଆଇନ ଅଟେ।