ନୂଆଦିଲ୍ଲୀ: ପାକିସ୍ତାନୀ ଆକାଶମାର୍ଗ ବ୍ୟବହାର ନ କରି ବୈଦେଶିକ ଉଡ଼ାଣ ପରିଚାଳନା ପାଇଁ ଭାରତ ସରକାର ଏକ ବଡ଼ ବିକଳ୍ପ ଯୋଜନା ଉପରେ କାମ କରୁଛନ୍ତି। ବର୍ତ୍ତମାନ ଭାରତୀୟ ବିମାନଗୁଡ଼ିକୁ ଚୀନର ସିନ୍ଜିଆଙ୍ଗ୍ ଅଞ୍ଚଳ ଦେଇ ଗତି କରାଇବା ପାଇଁ ନୂଆ ରାସ୍ତା ଖୋଜାଯାଉଛି। ସୂତ୍ର ଅନୁଯାୟୀ, ଦୀର୍ଘ ଦୂରଗାମୀ ଉଡ଼ାଣଗୁଡ଼ିକ ପାଇଁ ଏହି ନୂଆ ରୁଟ୍ ବାବଦରେ ଭାରତୀୟ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଓ ବୈଦେଶିକ ମନ୍ତ୍ରଣାଳୟ ଚୀନ୍ ସରକାରଙ୍କ ସହ ଆଲୋଚନା ଜାରି ରଖିଛନ୍ତି।
କାହିଁକି ବନ୍ଦ ଅଛି ପାକିସ୍ତାନ ଆକାଶମାର୍ଗ ?
୨୦୨୫ ଏପ୍ରିଲ ମାସରେ ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରଠାରୁ ଭାରତ ଓ ପାକିସ୍ତାନ ଉଭୟ ପରସ୍ପର ପାଇଁ ନିଜ ନିଜର ଆକାଶମାର୍ଗ ବନ୍ଦ କରିଦେଇଛନ୍ତି। ଏହି କଟକଣା ଯୋଗୁଁ ଭାରତରୁ ୟୁରୋପ, ମଧ୍ୟପ୍ରାଚ୍ୟ ଏବଂ ପଶ୍ଚିମ ଦେଶଗୁଡ଼ିକୁ ଯାଉଥିବା ବିମାନଗୁଡ଼ିକୁ ବୁଲି କରି ଯିବାକୁ ପଡ଼ୁଛି।
ବିମାନ କମ୍ପାନୀଗୁଡ଼ିକ ଉପରେ ବଢ଼ୁଛି ଚାପ
ପାକିସ୍ତାନୀ ଏୟାରସ୍ପେସ୍ ବ୍ୟବହାର ନ ହେବା ଏବଂ ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନା ହେତୁ ଏୟାର ଇଣ୍ଡିଆ ସମେତ ଅନ୍ୟାନ୍ୟ ଭାରତୀୟ ଏୟାରଲାଇନ୍ସଗୁଡ଼ିକୁ ଆରବ ସାଗର, ମଧ୍ୟ ଏସିଆ ଓ ଆଫ୍ରିକାର କିଛି ଭାଗ ଦେଇ ଯିବାକୁ ପଡ଼ୁଛି। ଫଳରେ ବିମାନର ଗସ୍ତ ସମୟ ବହୁତ ବୃଦ୍ଧି ପାଉଛି। ଜାଳେଣି ଖର୍ଚ୍ଚ ବଢ଼ିବାରୁ ପରିଚାଳନା ଗୁରୁତର ଭାବେ ପ୍ରଭାବିତ ହେଉଛି। କ୍ରୁ-ମେମ୍ବରଙ୍କ ଡ୍ୟୁଟି ସମୟ ଉପରେ ମଧ୍ୟ ଅତିରିକ୍ତ ଚାପ ପଡ଼ୁଛି।
ଗତ ଗୋଟିଏ ବର୍ଷରୁ ଅଧିକ ସମୟ ଧରି ଚୀନ୍ ସହ ଏହି ନୂଆ ଆକାଶ ମାର୍ଗ ନେଇ କଥାବାର୍ତ୍ତା ଚାଲିଛି। ଯଦି ଚୀନର ସିନ୍ଜିଆଙ୍ଗ୍ ଦେଇ ନୂଆ ରୁଟ୍ ଚୂଡ଼ାନ୍ତ ହୁଏ, ତେବେ ଭାରତୀୟ ବିମାନଗୁଡ଼ିକର ଯାତ୍ରା ସମୟ କମିବା ସହ ବିମାନ କମ୍ପାନୀଗୁଡ଼ିକର କୋଟି କୋଟି ଟଙ୍କାର ଖର୍ଚ୍ଚ ବଞ୍ଚିପାରିବ।