ନୂଆଦିଲ୍ଲୀ: ଅରୁଣାଚଳ ପ୍ରଦେଶରେ ଭାରତ-ମିଆଁମାର ସୀମା ନିକଟରେ ସନ୍ଦିଗ୍ଧ ଆତଙ୍କବାଦୀଙ୍କ ଉପଦ୍ରବ ବଢ଼ିଛି । ମଙ୍ଗଳବାର ସକାଳ ପ୍ରାୟ ୬ଟା ସମୟରେ ଚାଙ୍ଗଲାଙ୍ଗ ଜିଲ୍ଲାରେ ଆତଙ୍କବାଦୀଙ୍କ ଆକ୍ରମଣରେ ଆସାମ ରାଇଫଲ୍ସର ଜଣେ ଯବାନ ସହିଦ ହୋଇଛନ୍ତି। ମୃତକ ହେଲେ ହାବିଲଦାର ଜାନଖୋକାଇ କୁକି (୪୨) । ଏହି ଆକ୍ରମଣରେ ୪ ଜଣ ଯବାନ ଗୁରୁତର ଆହତ ହୋଇଛନ୍ତି।
ପ୍ରାରମ୍ଭିକ ସୂଚନା ଅନୁଯାୟୀ, ଆଜି ସକାଳେ ୨୧ ଆସାମ ରାଇଫଲ୍ସର ଯବାନ ମାନେ ସେହି ଅଞ୍ଚଳରେ ନିୟମିତ ପାଟ୍ରୋଲିଂ କରୁଥିଲେ। ସନ୍ଦିଗ୍ଧ ଆତଙ୍କବାଦୀମାନେ ହଠାତ୍ ଏବଂ ଅବାଧରେ ପାଟ୍ରୋଲିଂ ଦଳ ଉପରେ ଗୁଳି ଚଳାଇଥିଲେ । ଆକ୍ରମଣରେ ହାବିଲଦାର ଜାନଖୋକାଇ କୁକି ଘଟଣାସ୍ଥଳରେ ପ୍ରାଣ ହରାଇଥିଲେ । ଅନ୍ୟ ଚାରି ଜଣ ଆହତ ହୋଇଥିବାବେଳେ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ଚାଙ୍ଗଲାଙ୍ଗ ପୋଲିସ ଅଧିକ୍ଷକ କିର୍ଲି ପାଡୁ କହିଛନ୍ତି ଯେ ଆକ୍ରମଣ ପରେ ସମ୍ପୃକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି । ଆତଙ୍କବାଦୀଙ୍କୁ ଧିରିବାକୁ ଉଦ୍ୟମ ଜାରି ରହିଛି । ସୈନିକମାନେ ସୀମା ଚାରିପାଖରେ ଥିବା ଜଙ୍ଗଲ, ନାଳ ଏବଂ ପଥ ଯାଞ୍ଚ କରୁଛନ୍ତି। ଏହି ଅଞ୍ଚଳକୁ ବହୁ ଦିନ ଧରି ସମ୍ବେଦନଶୀଳ ବୋଲି ବିବେଚନା କରାଯାଉଛି। ଚାଙ୍ଗଲାଙ୍ଗ ଜିଲ୍ଲା ମିଆଁମାର ସହିତ ଅନ୍ତର୍ଜାତୀୟ ସୀମାରେ ଅବସ୍ଥିତ। ଅନେକ ସ୍ଥାନରେ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ବାଡ଼ ଦିଆଯାଇ ନାହିଁ । ଘନ ଜଙ୍ଗଲ, ପାହାଡ଼ିଆ ଅଞ୍ଚଳ ଏବଂ ସୀମାପାର ଗତିବିଧି ଏହି ଅଞ୍ଚଳକୁ ସୁରକ୍ଷା ବାହିନୀ ପାଇଁ ଏକ ଚ୍ୟାଲେଞ୍ଜ । ଚାଙ୍ଗଲାଙ୍ଗ ସହିତ, ତିରାପ ଏବଂ ଲୋଙ୍ଗଡିଙ୍ଗ ଭଳି ଅଞ୍ଚଳଗୁଡ଼ିକୁ ମଧ୍ୟ ସୁରକ୍ଷା-ସମ୍ବେଦନଶୀଳ ବୋଲି ବିବେଚନା କରାଯାଏ।