ନୂଆଦିଲ୍ଲୀ: ଏସୀୟ କ୍ରୀଡ଼ାରେ ଭାରତ ଖାତାକୁ ପୁଣି ଏକ ସ୍ୱର୍ଣ୍ଣ ପଦକ ଆସିଛି । ହରିୟାଣାର ୨୬ ବର୍ଷୀୟ ସୁଟର ନୀରୁ ଢାଣ୍ଡା ମହିଳା ଟ୍ରାପ ଏକକ ବର୍ଗରେ ପ୍ରଥମ ସ୍ଵର୍ଣ୍ଣ ପଦକ ଜିତି ଇତିହାସରେ ନିଜ ନାଁ ଲେଖିଛନ୍ତି । ଏସୀୟ କ୍ରୀଡ଼ାରେ ଭାରତର ୫ମ ସ୍ଵର୍ଣ୍ଣ ପଦକ ।
ନୀରୁ ଢାଣ୍ଡା ଏସୀୟ କ୍ରୀଡ଼ାରେ ନୂତନ ରେକର୍ଡ ସ୍ଥାପନ କରିଛନ୍ତି । ଟ୍ରାପ ସୁଟିଂରେ ଏସୀୟ କ୍ରୀଡ଼ାର ୭୫ ବର୍ଷର ଇତିହାସରେ କୌଣସି ଭାରତୀୟ ମହିଳା ଏକକ ବର୍ଗରେ ସ୍ଵର୍ଣ୍ଣ ପଦକ ଜିତି ନ ଥିଲେ । ନୀରୁ ପ୍ରଥମ ଭାରତୀୟ ଭାବେ ଏହି ଗୌରବ ଅର୍ଜନ କରିଛନ୍ତି ।
ଚୀନର ସୁନ ୟୁନଗୋଙ୍ଗ ରୌପ୍ୟ ଏବଂ ୨୧ ସ୍କୋର ସହିତ କୁଏତର ହଜର ଅବଦୁଲ ମଲ୍ଲିକ କାଂସ୍ୟ ପଦକ ଜିତିଛନ୍ତି ।
ପୁରୁଷ ୯୦ କିଗ୍ରା ଓଜନ ବର୍ଗର ମୁକାବିଲାରେ ଭାରତୀୟ ବକ୍ସର ନରେନ୍ଦ୍ର କାଜାକସ୍ତାନର ଆଇବେକ୍ ଓରାଲବାଏଙ୍କ ଠାରୁ ୦-୫ ବ୍ୟବଧାନରେ ପରାଜିତ ହୋଇଛନ୍ତି । ଫଳସ୍ୱରୂପ ତାଙ୍କୁ ବ୍ରୋଞ୍ଜ ପଦକରେ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା।
ଉଲ୍ଲେଖ ଯୋଗ୍ୟ, ମହିଳା କ୍ରିକେଟ୍ ଟିମ, ମହିଳା ଓ ପୁରୁଷ କବାଡ଼ି ଟିମ୍, ସୁଟିଂରେ କମଲଜିତ ଓ ସୁରୁଚି ସିଂ ଏବଂ ନୀରୁ ଢାଣ୍ଡା ସ୍ଵର୍ଣ୍ଣ ପଦକ ଜିତିଛନ୍ତି । ମୋଟ୍ ୪୭ ପଦକ ସହ ପଦକ ତାଲିକାରେ ଭାରତ ୧୧ତମ ସ୍ଥାନରେ ରହିଛି।