ନୂଆଦିଲ୍ଲୀ: ନିର୍ବାଚନ ଆୟୋଗ ଏବଂ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟାକୁ ନେଇ କେନ୍ଦ୍ର ସରକାରଙ୍କ ବିରୋଧରେ ପୁଣି ଥରେ କଡ଼ା ଆକ୍ରମଣ କରିଛନ୍ତି ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ। ରାଜଧାନୀ ଦିଲ୍ଲୀର ବେଲା ଏଷ୍ଟେଟ୍ସ୍ଥିତ ଏକ ବସ୍ତି ଅଞ୍ଚଳ ଗସ୍ତ କରି ସେ ଅଭିଯୋଗ କରିଛନ୍ତି ଯେ, ନିର୍ବାଚନ ଆୟୋଗଙ୍କ ନୂତନ ସ୍ପେଶାଲ ଇଣ୍ଟେନସିଭ୍ ରିଭିଜନ (SIR) ପ୍ରକ୍ରିୟା ପରେ ସମଗ୍ର ବସ୍ତିରୁ ଜଣଙ୍କୁ ଛାଡ଼ି ବାକି ସମସ୍ତ ୭୨୭ ଜଣ ଭୋଟରଙ୍କ ନାଁ ତାଲିକାରୁ ହଟାଇ ଦିଆଯାଇଛି।
ଗସ୍ତ ସମୟରେ ବସ୍ତିବାସିନ୍ଦାଙ୍କ ସହ ଆଲୋଚନା କରି ରାହୁଲ ଗାନ୍ଧୀ ସେମାନଙ୍କ ସମସ୍ୟା ବୁଝିଥିଲେ। ଏହି ଅବସରରେ ସେ ସିଧାସଳଖ ଜିଲ୍ଲା ସବ୍-ଡିଭିଜନାଲ ମ୍ୟାଜିଷ୍ଟ୍ରେଟ୍ (SDM) ଙ୍କ ସହ ଫୋନ୍ରେ କଥା ହୋଇ ନିଜର ଅସନ୍ତୋଷ ପ୍ରକାଶ କରିଥିଲେ। ନିଜର ଘର ଥାଉ କି ନଥାଉ, ଭୋଟ୍ ଦେବାର ଅଧିକାରରୁ କାହାକୁ ବଞ୍ଚିତ କରାଯାଇପାରିବ ନାହିଁ ବୋଲି ସେ ସ୍ପଷ୍ଟ କରିଥିଲେ।
ସୋସିଆଲ ମିଡିଆ ପ୍ଲାଟଫର୍ମ 'ଏକ୍ସ' ରେ ଏକ ପୋଷ୍ଟ ଶେୟାର କରି ରାହୁଲ ଗାନ୍ଧୀ ଲେଖିଛନ୍ତି ଯେ, ଯମୁନା ନଦୀ କୂଳରେ ଥିବା ବେଲା ଏଷ୍ଟେଟ୍ରେ ୭୨୮ ଜଣ ଲୋକ ବସବାସ କରନ୍ତି। ସେମାନେ ଦଶନ୍ଧି ଦଶନ୍ଧି ଧରି ଏଠାରେ ରହିଆସୁଛନ୍ତି ଏବଂ ବିଗତ ୨୦୨୪ ଲୋକସଭା ଓ ୨୦୨୫ ଦିଲ୍ଲୀ ବିଧାନସଭା ନିର୍ବାଚନରେ ଭୋଟ୍ ମଧ୍ୟ ଦେଇଛନ୍ତି। ୨୦୨୩ରେ ସେମାନଙ୍କ ଘର ଭଙ୍ଗାଯାଇଥିଲେ ସୁଦ୍ଧା ସେମାନେ ଏହି ଅଞ୍ଚଳ ଛାଡ଼ି କୁଆଡ଼େ ଯାଇନାହାନ୍ତି, ବରଂ ସେହିଠାରେ ହିଁ ଅଛନ୍ତି।
ଏହାସହିତ ମୁଖ୍ୟ ନିର୍ବାଚନ ଆୟୋଗ (CEC) ଜ୍ଞାନେଶ କୁମାରଙ୍କ ନିୟମାବଳୀକୁ ମନେପକାଇ ରାହୁଲ କହିଛନ୍ତି ଯେ, ଗୃହହୀନ ଲୋକଙ୍କ ପାଇଁ ଭୋଟର ତାଲିକାରେ 'ହାଉସ୍ ନମ୍ବର ୦' ର ବ୍ୟବସ୍ଥା ରହିଛି। ଏପରି ସ୍ଥିତିରେ ଗରିବ ଲୋକଙ୍କ ନାଁ ଭୋଟର ଲିଷ୍ଟରୁ ବାଦ୍ ଦେବା କୌଣସି ସଂଶୋଧନ ନୁହେଁ, ବରଂ ଏହା ଏକ ସିଧାସଳଖ "ଭୋଟ୍ ଚୋରି"ର ମାଧ୍ୟମ। ନିର୍ବାଚନ ଆୟୋଗଙ୍କ ଏହି ପଦକ୍ଷେପକୁ ନେଇ ଏବେ ସାରା ଦେଶରେ ରାଜନୀତି ଗରମାଗରମ ହେବାରେ ଲାଗିଛି।