ଭାରତୀୟ ତଟରକ୍ଷୀ ବାହିନୀ ଓଡ଼ିଶାର ପାରାଦୀପ ନିକଟ ସମୁଦ୍ରରେ ଫସିରହିଥିବା ବିଦେଶୀ କେମିକାଲ୍ ଟ୍ୟାଙ୍କର୍ 'MT Seagull 9' କୁ ବୁଡ଼ିଯିବାରୁ ସଫଳତାର ସହ ରକ୍ଷା କରିଛି। ଏହାପରେ ଟଗ୍ ଜାହାଜ 'Dolphin' MT Seagull 9 କୁ ପାରାଦୀପ ନିକଟ ଏଙ୍କରେଜ୍ ଅଞ୍ଚଳ ଆଡ଼କୁ ଟାଣି (Tow) ନେଇଛି।
ଭାରତୀୟ ତଟରକ୍ଷୀ ବାହିନୀ ଓଡ଼ିଶାର ପାରାଦୀପରୁ ପ୍ରାୟ ୩୭ ନଟିକାଲ୍ ମାଇଲ୍ ପୂର୍ବ-ଦକ୍ଷିଣ-ପୂର୍ବରେ ସମୁଦ୍ରରେ ଫସିଥିବା ବିଦେଶୀ କେମିକାଲ୍ ଟ୍ୟାଙ୍କର୍ ‘MT Seagull 9’ କୁ ସଫଳତାର ସହ ଉଦ୍ଧାର କରିଛି। କୋଷ୍ଟଗାର୍ଡର ଦ୍ରୁତ କାର୍ଯ୍ୟାନୁଷ୍ଠାନ ଯୋଗୁଁ ଟ୍ୟାଙ୍କର୍ଟି ଓଲଟିପଡ଼ିବାର ବିପଦ ଟଳିଯାଇଛି। ବେଲିଜ୍ (Belize) ପତାକା ବିଶିଷ୍ଟ ଏହି ଜାହାଜରେ ୯,୦୦୦ ମ୍ୟାଟ୍ରିକ୍ ଟନ୍ ପାମ୍ ଅଏଲ୍ ଲଦା ହୋଇଥିଲା ଏବଂ ଏଥିରେ ୨୩ ଜଣ କ୍ରୁ ସଦସ୍ୟ ସବାର ଥିଲେ।
କୁହାଯାଉଛି ଯେ ପାମ୍ ଅଏଲ୍ ନେଇ ଯାଉଥିବା ବେଲିଜ୍ ପତାକାବାହୀ କେମିକାଲ୍ ଟ୍ୟାଙ୍କର୍ MT Seagull 9 ର ହଠାତ୍ ଇଞ୍ଜିନ୍ ଫେଲ୍ ହୋଇଯାଇଥିଲା ଏବଂ ବ୍ୟାଲାଷ୍ଟ ଟ୍ୟାଙ୍୍୍ରେ ଦ୍ରୁତ ଗତିରେ ପାଣି ପଶିବାକୁ ଲାଗିଥିଲା। ଏହାଦ୍ୱାରା ଜାହାଜଟି ଗୋଟିଏ ପାଖକୁ ବିପଜ୍ଜନକ ଭାବେ ଢଳିପଡ଼ିଥିଲା। ଏହାପରେ କୋଷ୍ଟଗାର୍ଡ ଟିମ୍ ମୋର୍ଚ୍ଚା ସମ୍ଭାଳି ଜାହାଜକୁ ବୁଡ଼ିଯିବାରୁ ବଞ୍ଚାଇନେଇଥିଲା।
୨୭ ସେପ୍ଟେମ୍ବର ସକାଳ ପ୍ରାୟ ୭:୩୦ ରେ ଟ୍ୟାଙ୍କର୍ରୁ ସାହାଯ୍ୟ ପାଇଁ ଜରୁରୀକାଳୀନ କଲ୍ (Emergency Call) ମିଳିଥିଲା। ସେହି ସମୟରେ ଜାହାଜଟି ପାରାଦୀପରୁ ପ୍ରାୟ ୩୭ ନଟିକାଲ୍ ମାଇଲ୍ ଦୂରରେ ଥିଲା ଏବଂ ଏଥିରେ ୨୩ ଜଣ କ୍ରୁ ମେମ୍ବର ଥିଲେ। ସୂଚନା ମିଳିବା ମାତ୍ରକେ ଭାରତୀୟ କୋଷ୍ଟଗାର୍ଡର ଜାହାଜ ICGS Vishwast ଘଟଣାସ୍ଥଳରେ ପହଞ୍ଚିଥିଲା। କୋଷ୍ଟଗାର୍ଡର ସ୍ପେଶାଲ୍ ଡ୍ୟାମେଜ୍ କଣ୍ଟ୍ରୋଲ୍ ଟିମ୍ ଚ୍ୟାଲେଞ୍ଜିଂ ପରିସ୍ଥିତିରେ ଟ୍ୟାଙ୍କର୍ ଉପରକୁ ଯାଇ ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ।
ଜାହାଜରେ କ’ଣ ହୋଇଥିଲା?
ଟିମ୍ ସ୍ୱତନ୍ତ୍ର ଡି-ଫ୍ଲଡିଂ ପମ୍ପ ସାହାଯ୍ୟରେ ଜାହାଜରେ ଭରି ରହିଥିବା ପାଣିକୁ ବାହାରକୁ ନିଷ୍କାସିତ କରିଥିଲେ। ଦୁଇଟି କ୍ଷତିଗ୍ରସ୍ତ ସମୁଦ୍ର ପାଣି ପାଇପ୍ଲାଇନ୍କୁ ବନ୍ଦ କରାଯାଇଥିବା ବେଳେ ଆଉ ଗୋଟିଏ ଭଙ୍ଗା ପାଇପ୍ଲାଇନ୍ରୁ ପାଣି ଲିକ୍ ହେବାକୁ ମଧ୍ୟ ନିୟନ୍ତ୍ରଣ କରାଯାଇଥିଲା। ଏହା ସହିତ ଟ୍ୟାଙ୍କର୍ରୁ କାର୍ଗୋ ଟ୍ରାନ୍ସଫର୍ ଏବଂ ପାଣି ବାହାର କରିବା କାମ ଏକାସାଙ୍ଗରେ କରାଯାଇଥିଲା। ଏହାଦ୍ୱାରା ଜାହାଜକୁ ସ୍ଥିର କରିବାରେ ସଫଳତା ମିଳିଥିଲା ଏବଂ ଏହା ଓଲଟିପଡ଼ିବାର ବିପଦ ଟଳିଯାଇଥିଲା।
ଡୋର୍ନିୟର୍ ବିମାନ କଲା ଆକାଶମାର୍ଗରୁ ନଜର
ସମୁଦ୍ରରେ ପ୍ରଦୂଷଣ ରୋକିବା ପାଇଁ କୋଷ୍ଟଗାର୍ଡ ଏକ ପଲ୍ୟୁସନ୍ କଣ୍ଟ୍ରୋଲ୍ ଭେସେଲ୍ (Pollution Control Vessel) ଏବଂ ଏକ ଅତିରିକ୍ତ ଅଫ୍ଶୋର୍ ପାଟ୍ରୋଲ୍ ଭେସେଲ୍ ମଧ୍ୟ ଘଟଣାସ୍ଥଳକୁ ପଠାଇଛନ୍ତି। ଭୁବନେଶ୍ୱରରୁ କୋଷ୍ଟଗାର୍ଡର ଡୋର୍ନିୟର୍ (Dornier) ବିମାନ ଆକାଶମାର୍ଗରୁ ନଜର ରଖିଥିଲା। ୨୭ ସେପ୍ଟେମ୍ବରରେ ଜାହାଜ ଆଖପାଖରେ ପାମ୍ ଅଏଲ୍ର ଏକ ହାଲୁକା ଆସ୍ତରଣ ଦେଖାଯାଇଥିଲା, କିନ୍ତୁ ୨୮ ସେପ୍ଟେମ୍ବରର ଆକାଶମାର୍ଗ ଯାଞ୍ଚରେ ଏହା ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ଜଣାପଡ଼ିଛି। ସାମୁଦ୍ରିକ ପରିବେଶର ସୁରକ୍ଷା ପାଇଁ କୋଷ୍ଟଗାର୍ଡର ପ୍ରଦୂଷଣ ନିୟନ୍ତ୍ରଣ ବ୍ୟବସ୍ଥା ଏବେ ବି ସକ୍ରିୟ ରହିଛି।
ଜାହାଜର ଇଞ୍ଜିନ୍ ମରାମତି କାମ ଆରମ୍ଭ
ପରିସ୍ଥିତି ସ୍ଥିର ହେବା ପରେ ପାରାଦୀପ ପୋର୍ଟ ଅଥରିଟିର ଟଗ୍ 'Dolphin' MT Seagull 9 କୁ ପାରାଦୀପ ନିକଟ ଏଙ୍କରେଜ୍ ଅଞ୍ଚଳ ଆଡ଼କୁ ଟାଣି ନେଇଛି। ଜାହାଜର ମୁଖ୍ୟ ଇଞ୍ଜିନ୍ ମରାମତି କାମ ମଧ୍ୟ ଆରମ୍ଭ କରିଦିଆଯାଇଛି। ICGS Vishwast ଏବଂ କୋଷ୍ଟଗାର୍ଡର ଅନ୍ୟ ଟିମ୍ଗୁଡ଼ିକ ଘଟଣାସ୍ଥଳରେ ଲଗାତାର ନଜର ରଖିଛନ୍ତି, ଯାହାଦ୍ୱାରା କୌଣସି ବି ଜରୁରୀକାଳୀନ ପରିସ୍ଥିତିର ତୁରନ୍ତ ମୁକାବିଲା କରାଯାଇପାରିବ।