ଭୁବନେଶ୍ୱର: ଓଡ଼ିଶାରେ ମହିଳା ନିଖୋଜ ମାମଲାକୁ ନେଇ ବିଧାନସଭାରେ ସାମ୍ନାକୁ ଆସିଛି ଚିନ୍ତାଜନକ ତଥ୍ୟ। ୨୦୨୧ରୁ ୨୦୨୫ ଏହି ପାଞ୍ଚ ବର୍ଷ ମଧ୍ୟରେ ରାଜ୍ୟରେ ୭୨,୦୯୦ ଜଣ ମହିଳା ନିଖୋଜ ହୋଇଥିବା ରିପୋର୍ଟ ହୋଇଛି। ସେମାନଙ୍କ ମଧ୍ୟରୁ ୫୩,୭୨୦ ଜଣଙ୍କୁ ଚିହ୍ନଟ କରାଯାଇଥିବା/ଟ୍ରେସ୍ କରାଯାଇଥିବା ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର ବିଧାନସଭାରେ ଲିଖିତ ଉତ୍ତର ଦେଇଛନ୍ତି।
ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକଙ୍କ ପ୍ରଶ୍ନର ଉତ୍ତରରେ ମୁଖ୍ୟମନ୍ତ୍ରୀ ଏହି ତଥ୍ୟ ରଖିଛନ୍ତି। ତଥ୍ୟ ଅନୁସାରେ, ୨୦୨୧ରେ ୧୧,୬୩୫ ଜଣ ମହିଳା ନିଖୋଜ ହୋଇଥିବା ରିପୋର୍ଟ ହୋଇଥିଲା। ସେଥିରୁ ୯,୧୨୧ ଜଣଙ୍କୁ ୨୦୨୬ ଜୁଲାଇ ୩୧ ସୁଦ୍ଧା ଟ୍ରେସ୍ କରାଯାଇଛି।
ସେହିପରି ୨୦୨୨ରେ ୧୨,୭୯୩ ଜଣ ମହିଳା ନିଖୋଜ ହୋଇଥିବା ବେଳେ ୯,୮୭୧ ଜଣଙ୍କୁ ଟ୍ରେସ୍ କରାଯାଇଛି। ୨୦୨୩ରେ ୧୩,୯୧୫ ଜଣ ନିଖୋଜ ହୋଇଥିବା ବେଳେ ୧୦,୬୬୧ ଜଣଙ୍କୁ ଠାବ କରାଯାଇଛି।
ତଥ୍ୟ ଅନୁସାରେ, ୨୦୨୪ରେ ନିଖୋଜ ମହିଳାଙ୍କ ସଂଖ୍ୟା ୧୬,୦୦୦ ଥିବା ବେଳେ ୧୨,୦୧୧ ଜଣଙ୍କୁ ଟ୍ରେସ୍ କରାଯାଇଛି। ଅନ୍ୟପକ୍ଷରେ, ୨୦୨୫ରେ ସର୍ବାଧିକ ୧୭,୭୪୭ ଜଣ ମହିଳା ନିଖୋଜ ହୋଇଥିବା ରିପୋର୍ଟ ହୋଇଛି। ସେମାନଙ୍କ ମଧ୍ୟରୁ ୧୨,୦୫୬ ଜଣଙ୍କୁ ଜୁଲାଇ ୩୧, ୨୦୨୬ ସୁଦ୍ଧା ଟ୍ରେସ୍ କରାଯାଇଛି। ମୁଖ୍ୟମନ୍ତ୍ରୀ ଏହାସହ ଉକ୍ତ ସମୟସୀମାରେ ନିଖୋଜ ଶିଶୁ ଓ ନାବାଳିକାଙ୍କ ସଂଖ୍ୟା ଏବଂ ସେମାନଙ୍କ ମଧ୍ୟରୁ କେତେଜଣଙ୍କୁ ଟ୍ରେସ୍ କରାଯାଇଛି, ସେନେଇ ମଧ୍ୟ ବିଧାନସଭାରେ ତଥ୍ୟ ପ୍ରଦାନ କରିଛନ୍ତି।