ନୂଆଦିଲ୍ଲୀ: ୨୦୦୫ର ଚର୍ଚ୍ଚିତ ସୋହରାବୁଦ୍ଦିନ୍ ଶେଖ୍ ଏନ୍କାଉଣ୍ଟର ମାମଲାରେ ସୁପ୍ରିମ୍ କୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ଆଦେଶ ଦେଇଛନ୍ତି। ଏହି କେସ୍ରେ ଦୋଷମୁକ୍ତ ହୋଇଥିବା ୨୨ ଜଣ ଅଭିଯୁକ୍ତଙ୍କ ବିରୋଧରେ ଦାୟର ହୋଇଥିବା ପିଟିସନ୍ ଉପରେ ଶୁଣାଣି କରି ସର୍ବୋଚ୍ଚ ଅଦାଲତ ସିବିଆଇ ଏବଂ ଅଭିଯୁକ୍ତମାନଙ୍କୁ ନୋଟିସ୍ ଜାରି କରିଛନ୍ତି। ତେବେ କୋର୍ଟ ସ୍ପଷ୍ଟ କରିଛନ୍ତି ଯେ, ଗୁଜରାଟର ତତ୍କାଳୀନ ଗୃହମନ୍ତ୍ରୀ ତଥା ବର୍ତ୍ତମାନର କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହଙ୍କୁ ଦିଆଯାଇଥିବା ଆଶ୍ୱାସ୍ତି ବଜାୟ ରହିବ ଏବଂ ତାଙ୍କୁ ଦୋଷମୁକ୍ତ କରାଯିବା ନିଷ୍ପତ୍ତିକୁ ପୁନର୍ବାର ଖୋଲାଯିବ ନାହିଁ। ୨୦୧୪ ମସିହାରେ ହିଁ ଅମିତ୍ ଶାହଙ୍କୁ ଏହି ମାମଲାରୁ ନିର୍ଦ୍ଦୋଷରେ ଖଲାସ କରାଯାଇଥିଲା।
୨୦୧୪ ଡିସେମ୍ବର ୩୦ରେ ମୁମ୍ବାଇର ସ୍ୱତନ୍ତ୍ର ସିବିଆଇ କୋର୍ଟ ଅମିତ୍ ଶାହଙ୍କ ବିରୋଧରେ ମାମଲା ଚଳାଇବା ପାଇଁ ପର୍ଯ୍ୟାପ୍ତ ପ୍ରମାଣ ନଥିବା ଦର୍ଶାଇ ତାଙ୍କୁ ଦୋଷମୁକ୍ତ କରିଥିଲେ। ପରବର୍ତ୍ତୀ ସମୟରେ ୨୦୧୮ରେ ଟ୍ରାଏଲ୍ କୋର୍ଟ ଅନ୍ୟ ୨୨ ଜଣ ଅଭିଯୁକ୍ତଙ୍କୁ ମଧ୍ୟ ନିର୍ଦ୍ଦୋଷରେ ଖଲାସ କରିଥିଲେ। ଚଳିତ ବର୍ଷ ମେ’ ମାସରେ ବମ୍ବେ ହାଇକୋର୍ଟ ମଧ୍ୟ ନିମ୍ନ ଅଦାଲତର ଏହି ରାୟକୁ ବଜାୟ ରଖିଥିଲେ। ଏହି ୨୨ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ୨୧ ଜଣ ଗୁଜରାଟ, ରାଜସ୍ଥାନ ଓ ଆନ୍ଧ୍ରପ୍ରଦେଶ ପୋଲିସର କର୍ମଚାରୀ ଅଟନ୍ତି। ହାଇକୋର୍ଟଙ୍କ ଏହି ରାୟ ବିରୋଧରେ ସୋହରାବୁଦ୍ଦିନ୍ଙ୍କ ଭାଇ ରୁବାବୁଦ୍ଦିନ୍ ସୁପ୍ରିମ୍ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଏହି ଆବେଦନ ଉପରେ ପ୍ରଧାନ ବିଚାରପତି (CJI) ସୂର୍ଯ୍ୟକାନ୍ତଙ୍କ ଅଧ୍ୟକ୍ଷତାରେ ଗଠିତ ୩ ଜଣିଆ ଖଣ୍ଡପୀଠ ନୋଟିସ୍ ଜାରି କରିଛନ୍ତି।
ଶୁଣାଣି ସମୟରେ ମାମଲାରେ ସାକ୍ଷୀମାନେ ବାରମ୍ବାର ବୟାନ୍ ବଦଳାଇବା ନେଇ ସୁପ୍ରିମ୍ କୋର୍ଟ ଗଭୀର ଚିନ୍ତା ପ୍ରକଟ କରିଛନ୍ତି। ବିଚାରପତି କହିଛନ୍ତି ଯେ, ମୋଟ ୨୧୦ ଜଣ ସାକ୍ଷୀଙ୍କ ମଧ୍ୟରୁ ୯୨ ଜଣ ସାକ୍ଷୀ ନିଜ ପୂର୍ବ ବୟାନ୍ରୁ ଓହରି ଯାଇଥିଲେ। ଏପରି ସ୍ଥିତିରେ ଏହି ମାମଲାର ଶୁଣାଣି ନିରପେକ୍ଷ ଭାବେ ହୋଇଛି କି ନାହିଁ, ସେ ନେଇ ପ୍ରଶ୍ନ ଉଠୁଛି। କୋର୍ଟ ଏବେ ଏହି ଆଇନଗତ ଦିଗର ସମୀକ୍ଷା କରିବେ।
ଉଲ୍ଲେଖଯୋଗ୍ୟ, ସୋହରାବୁଦ୍ଦିନ୍ ଶେଖ୍ ବିରୋଧରେ ଗୁଜରାଟ, ରାଜସ୍ଥାନ ଓ ମଧ୍ୟପ୍ରଦେଶରେ ହତ୍ୟା, ଅପହରଣ, ବେଆଇନ ଅସ୍ତ୍ରଶସ୍ତ୍ର ଓ ବସୁଲି ଭଳି ଅନେକ ସଙ୍ଗୀନ ମାମଲା ରହିଥିଲା। ୨୦୦୫ ନଭେମ୍ବର ୨୬ରେ ଅହମ୍ମଦାବାଦଠାରେ ପୋଲିସ ଏନ୍କାଉଣ୍ଟରରେ ତାଙ୍କର ମୃତ୍ୟୁ ହୋଇଥିଲା। ଏହାପରେ ତାଙ୍କ ପତ୍ନୀ କୌସର ବି ଏବଂ ସହଯୋଗୀ ତୁଲସୀରାମ ପ୍ରଜାପତିଙ୍କ ମୃତ୍ୟୁକୁ ନେଇ ମଧ୍ୟ ବିବାଦ ଦେଖାଦେଇଥିଲା, ଯାହାକୁ ପରିବାର ଲୋକେ ଫେକ୍ ଏନ୍କାଉଣ୍ଟର ବୋଲି ଅଭିଯୋଗ କରିଥିଲେ।