ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଶିକ୍ଷାଗତ ଯୋଗ୍ୟତା ସମ୍ବନ୍ଧୀୟ ମାମଲାରେ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଆବେଦନ ଗୁଜୁରାଟ ହାଇକୋର୍ଟରେ ଖାରଜ ହୋଇଛି । ମୁଖ୍ୟ ବିଚାରପତିଙ୍କ ନେତୃତ୍ୱରେ ଗଠିତ ଏକ ଡିଭିଜନ୍ ବେଞ୍ଚ ନିଷ୍ପତ୍ତିରେ ହସ୍ତକ୍ଷେପ କରିବାକୁ ହାଇକୋର୍ଟ ମନା କରିଛନ୍ତି । ଏହା ସହିତ କୋର୍ଟ କେଜ୍ରିୱାଲଙ୍କ ଉପରେ ଲଗାଯାଇଥିବା ୨୫,୦୦୦ ଟଙ୍କାର ଜରିମାନାକୁ କାଏମ ରଖିଛନ୍ତି ।
ଆମ୍ ଆଦମୀ ପାର୍ଟିର ଜାତୀୟ ଆବାହକ ତଥା ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କେନ୍ଦ୍ରୀୟ ସୂଚନା କମିଶନରଙ୍କ ୨୦୧୬ ମସିହାର ଏକ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଶିକ୍ଷାଗତ ଡିଗ୍ରୀ ସର୍ବସାଧାରଣରେ ପ୍ରକାଶ କରିବା ଦାବିରେ ହାଇକୋର୍ଟରେ ଏକ ଆବେଦନ ଦାଖଲ କରିଥିଲେ ।
ଏହି ରାୟ ବିରୁଦ୍ଧରେ ଆବେଦନ କରାଯିବା ପରେ, ମାମଲାଟି ମୁଖ୍ୟ ବିଚାରପତି ସୁନିତା ଅଗ୍ରୱାଲ ଏବଂ ବିଚାରପତି ଡି.ଏନ୍. ରାୟଙ୍କୁ ନେଇ ଗଠିତ ଡିଭିଜନ୍ ବେଞ୍ଚ ନିକଟକୁ ଆସିଥିଲା। ମାମଲାର ଶୁଣାଣି ପରେ ଡିଭିଜନ୍ ବେଞ୍ଚ କହିଥିଲା ଯେ ଏକକ ବିଚାରପତି ବେଞ୍ଚର ନିଷ୍ପତ୍ତିରେ ହସ୍ତକ୍ଷେପ କରିବା ପାଇଁ କୌଣସି ଆଧାର ନାହିଁ । ରାୟଟି ସମ୍ପୂର୍ଣ୍ଣ ଭାବେ ତଥ୍ୟ ଏବଂ ପରିସ୍ଥିତି ଉପରେ ଆଧାରିତ ବୋଲି ଉଲ୍ଲେଖ କରି ହାଇକୋର୍ଟ କେଜ୍ରିୱାଲଙ୍କ ଆବେଦନକୁ ଖାରଜ କରିଦେଇଛନ୍ତି । ଏହା ସହିତ କେଜ୍ରିୱାଲଙ୍କ ଉପରେ ଲାଗିଥିବା ଜରିମାନା ଆଦେଶକୁ କାଏମ ରଖିଛନ୍ତି ।
୩୧ ମାର୍ଚ୍ଚ ୨୦୨୩ ରେ, ଏକକ ବିଚାରପତି ବେଞ୍ଚ ମାମଲାର ଶୁଣାଣି କରି କେଜ୍ରିୱାଲଙ୍କୁ ସୂଚନା ଅଧିକାର ଆଇନ ଉଲ୍ଲଂଘନ କରିଥିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ କରିଥିଲେ ଏବଂ ତାଙ୍କ ଉପରେ ୨୫,୦୦୦ ଟଙ୍କାର ଜରିମାନା ଲଗାଇଥିଲେ ।