ଭୁବନେଶ୍ୱର : ଆସନ୍ତାକାଲି ନବନିର୍ମାଣ କୃଷକ ସଂଗଠନ ଏବଂ ନବନିର୍ମାଣ ଯୁବ ଛାତ୍ର ସଂଗଠନ ପକ୍ଷରୁ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି। ସ୍କୁଲ ପାଠ୍ୟପୁସ୍ତକରେ ହୋଇଥିବା ଗୁରୁତର ତ୍ରୁଟି ଏବଂ ଏହାର ପ୍ରତିବାଦରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବି କରି ବିଦ୍ରୋହ କରିବାକୁ ସଂଗଠନ ଏହି ନିଷ୍ପତ୍ତି ନେଇଛି ।
ଏହି ବନ୍ଦ ଡାକରା ବେଳେ ସଂଗଠନର ମୁଖ୍ୟ ଦାବି ହେଉଛି ସ୍କୁଲ ପାଠ୍ୟପୁସ୍ତକରେ ଥିବା ତ୍ରୁଟିପୂର୍ଣ୍ଣ ତଥ୍ୟକୁ ସଂଶୋଧନ କରିବା ଏବଂ ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା।
ସଂଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାରଙ୍କ ସୂଚନା ଅନୁଯାୟୀ ଏହି ବନ୍ଦ ଡାକରା ଦିଆଯାଇଛି। ଆସନ୍ତାକାଲି ରାଜ୍ୟରେ ଯାତାୟାତ ଏବଂ ଦୋକାନ ବଜାର ଆଂଶିକ ବାଧାପ୍ରାପ୍ତ ହୋଇପାରେ। ତେବେ ଜରୁରୀକାଳୀନ ସେବା ଯେପରିକି ଆମ୍ବୁଲାନ୍ସ ଏବଂ ମେଡିକାଲ ଏହି ବନ୍ଦରୁ ମୁକ୍ତ ରହିବ ।
ତେବେ ଆସନ୍ତାକାଲି ଧାର୍ଯ୍ୟ ହୋଇଥିବା OSSTET 2026 ପରୀକ୍ଷା ବାତିଲ କିମ୍ବା ସ୍ଥଗିତ ହୋଇନାହିଁ। ମାଧ୍ୟମିକ ଶିକ୍ଷା ପରିଷଦ (BSE Odisha) ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ ପରୀକ୍ଷା ନିର୍ଦ୍ଧାରିତ ସମୟସୂଚୀ ଅନୁଯାୟୀ ହେବ ।
ସୂଚନା ଥାଉକି ଚଳିତ ଶିକ୍ଷାବର୍ଷର ପାଠ୍ୟପୁସ୍ତକରେ ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଅନେକ ତ୍ରୁଟି ଥିଲା। ଯେପରିକି ସାମାଜିକ ବିଜ୍ଞାନ ବହିରେ ଓଡିଶା ବିଧାନସଭା ବଦଳରେ କର୍ଣ୍ଣାଟକ ବିଧାନସଭାର ଫୋଟ ବ୍ୟବହାର ହୋଇଥିଲା । ସେହିପରି ହାମ୍ପି ମନ୍ଦିରରେ କୋଣାର୍କ ମନ୍ଦିରର ଚିତ୍ର ବ୍ୟବହାର କରାଯାଇଥିଲା। ଏହିପରି ପ୍ରାୟ ଅନେକ ତ୍ରୁଟି ରହିଥିଲା।