ଭଦ୍ରକ: ଟ୍ୟୁସନ ଯିବା ବେଳେ ବନ୍ୟାଜଳର ପ୍ରଖର ସ୍ରୋତରେ ଭାସିଗଲା ୧୦ ବର୍ଷର ଶିଶୁ। ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ କଟାସାହି ପଞ୍ଚାୟତ ଅଧୀନ ମହାଦେବସାହିରେ ଘଟିଛି ଏହି ଅଭାବନୀୟ ଘଟଣା। ନିଖୋଜ ଶିଶୁ ହେଉଛନ୍ତି ସୁଭ୍ରାଂଶୁ ପଣ୍ଡା। ସେ ଶ୍ରୀକାନ୍ତ ପଣ୍ଡା ଓ ଅନୁସୟା ପଣ୍ଡାଙ୍କ ଏକମାତ୍ର ପୁଅ।
ସୂଚନା ଅନୁସାରେ, ସୋମବାର ସକାଳ ପ୍ରାୟ ୯ଟା ୩୦ରେ ସୁଭ୍ରାଂଶୁ ତାଙ୍କ ବଡ଼ ଭଉଣୀ ଓ ପିଉସାଙ୍କ ସହ ଟ୍ୟୁସନ ଯାଉଥିଲେ। ସେତେବେଳେ ରାସ୍ତା ଉପରେ ପ୍ରାୟ ୨ରୁ ଅଢ଼େଇ ଫୁଟ୍ ବନ୍ୟାଜଳ ପ୍ରବାହିତ ହେଉଥିଲା। ଦୁଇ ଭାଇଭଉଣୀ ପିଉସାଙ୍କ ହାତ ଧରି ପାଣି ଭିତରେ ଯାଉଥିଲେ।
ଏହି ସମୟରେ ରାସ୍ତାରେ ଥିବା ଏକ ଫାଟରେ ପିଉସାଙ୍କ ଗୋଡ଼ ଫସିଯିବାରୁ ସେ ଭାରସାମ୍ୟ ହରାଇଥିଲେ। ବଡ଼ ଭଉଣୀ କୌଣସିମତେ ସୁରକ୍ଷିତ ରହିଥିବା ବେଳେ ପ୍ରଖର ସ୍ରୋତରେ ସୁଭ୍ରାଂଶୁ ଭାସିଯାଇଥିଲେ। ଘଟଣା ପରେ ସ୍ଥାନୀୟ ଲୋକେ ତୁରନ୍ତ ଖୋଜାଖୋଜି ଆରମ୍ଭ କରିଥିଲେ।
ଖବର ପାଇ ଧୂଷୁରୀ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ପରେ ଧାମନଗର ଓ ଭଦ୍ରକରୁ ଦୁଇଟି ଅଗ୍ନିଶମ ବାହିନୀ ଟିମ୍ ଆସି ଉଦ୍ଧାର ଓ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ। ପ୍ରାୟ ୩ ଘଣ୍ଟା ଧରି ଖୋଜାଖୋଜି ସତ୍ତ୍ୱେ ଶିଶୁର କୌଣସି ସନ୍ଧାନ ମିଳିନଥିଲା। ରାତି ହୋଇଯିବାରୁ ଅପରେସନ ବନ୍ଦ ରହିଥିବା ବେଳେ ଆଜି ପୁଣି ଖୋଜାଖୋଜି ଜାରି ରହିଛି।
ସୁଭ୍ରାଂଶୁଙ୍କ ନିଖୋଜ ହେବା ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି। ଗାଁରେ ମଧ୍ୟ ଦୁଃଖର ବାତାବରଣ। ଅଗ୍ନିଶମ ବାହିନୀ ସହ ସ୍ଥାନୀୟ ଲୋକେ ମଧ୍ୟ ଶିଶୁକୁ ଖୋଜିବାରେ ସହଯୋଗ କରୁଛନ୍ତି। ପ୍ରଖର ସ୍ରୋତ ଓ ଗଭୀର ପାଣି ଯୋଗୁଁ ସର୍ଚ୍ଚ ଅପରେସନରେ ସମସ୍ୟା ଉପୁଜୁଥିବା ଜଣାପଡ଼ିଛି।