ସିନ୍ଧେକେଲା: ପୁଣି ଥରେ ଗୁରୁ ଶିଷ୍ୟ ପରମ୍ପରାରେ କଳଙ୍କ ଲାଗିଛି । ଛାତ୍ରୀଙ୍କୁ ଅଶ୍ଳୀଳ ମେସେଜ୍ ପଠାଇବା ଏବଂ ପ୍ରେମ ନିବେଦନ କରିବା ରସିକିଆ ଗଣିତ ସାରଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି । ବଲାଙ୍ଗିର ଜିଲ୍ଲା ସିନ୍ଧେକେଲା ଥାନା ଅନ୍ତର୍ଗତ ଲିମପଡ଼ା ହାଇସ୍କୁଲରେ ଦଶମ ଶ୍ରେଣୀର ଜଣେ ଛାତ୍ରୀଙ୍କୁ ପ୍ରେମ ନିବେଦନ କରିବା ସହ ଅଶ୍ଳୀଳ ମେସେଜ୍ ପଠାଇବା ଅଭିଯୋଗରେ ଗଣିତ ଶିକ୍ଷକଙ୍କୁ ପୋଲିସ ଅଟକ ରଖିଛି । ଅଭିଯୁକ୍ତ ଶିକ୍ଷକ ଟେକର ସିଂ ମାଝୀଙ୍କୁ ଅଟକ ରଖି ଘଟଣାର ତଦନ୍ତ ଚଳାଇଛି ସିନ୍ଧେକେଲା ପୋଲିସ।
ଅଭିଯୋଗ ମୁତାବକ, ଲିମପଡ଼ା ହାଇସ୍କୁଲର ଗଣିତ ଶିକ୍ଷକ ଟେକର ସିଂ ମାଝୀ ଦଶମ ଶ୍ରେଣୀର ଜଣେ ଛାତ୍ରୀଙ୍କୁ ପ୍ରେମ ନିବେଦନ କରିବା ସହ ଅଶ୍ଳୀଳ ମେସେଜ୍ ପଠାଉଥିଲେ । ଏ ନେଇ ଛାତ୍ରୀ ଜଣକ ଅଭିଭାବକଙ୍କୁ ଜଣାଇଥିଲେ । ଏହା ପରେ ଅଭିଭାବକ ଥାନାର ଦ୍ୱାରସ୍ଥ ହୋଇଛନ୍ତି । ପରିବାର ଲୋକଙ୍କ ଅଭିଯୋଗ ଏବଂ ଛାତ୍ରୀଙ୍କ ସୂଚନା ଆଧାରରେ ଆଧାରରେ ସିନ୍ଧେକେଲା ପୋଲିସ ସମ୍ପୃକ୍ତ ଗଣିତ ଶିକ୍ଷକଙ୍କୁ ଥାନାକୁ ଉଠାଇ ନେଇଛି । ଘଟଣା ସମ୍ପର୍କିତ ମେସେଜ୍ ଓ ଅନ୍ୟାନ୍ୟ ତଥ୍ୟର ଯାଞ୍ଚ କରିବା ସହ ଶିକ୍ଷକଙ୍କ ପଚରାଉଚରା ପୋଲିସ କରୁଛନ୍ତି । ତେବେ ଅଭିଯୋଗର ସମ୍ପୂର୍ଣ୍ଣ ସତ୍ୟତା ତଦନ୍ତ ପରେ ସ୍ପଷ୍ଟ ହେବ।