ଭୁବନେଶ୍ୱର : ସୋମବାର ଭୁବନେଶ୍ୱର ବାଣୀବିହାର ଓଭରବ୍ରିଜ୍ ଉପରେ ଏକ ବିରାଟ ଅଜଗର ସାପ ଦେଖିବାକୁ ମିଳିଥିଲା। ଏହି ବ୍ୟସ୍ତବହୁଳ ଜାତୀୟ ରାଜପଥ ଉପରେ ହଠାତ୍ ପ୍ରାୟ ୫ ଫୁଟ୍ ଲମ୍ବର ଅଜଗରଟିକୁ ଦେଖି ଯାତ୍ରୀ ଏବଂ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା।
ରାସ୍ତାରେ ସାପଟି ଯାଉଥିବା ଦେଖି ଲୋକେ ତୁରନ୍ତ ସ୍ନେକ୍ ହେଲ୍ପଲାଇନକୁ ଖବର ଦେଇଥିଲେ। ସ୍ନେକ୍ ହେଲ୍ପଲାଇନର ସଦସ୍ୟ ଆଶିଷ ବେହେରା ଘଟଣାସ୍ଥଳରେ ପହଞ୍ଚି ଅଜଗର ସାପକୁ ସୁରକ୍ଷିତ ଭାବେ ଉଦ୍ଧାର କରି ଜଙ୍ଗଲରେ ଛାଡିଛନ୍ତି ।
ତେବେ ପ୍ରଶ୍ନ ଉଠୁଛି ଦିନ ଦୁଇପ୍ରହରରେ ସହରର ଏଭଳି ଏକ ବ୍ୟସ୍ତବହୁଳ ତଥା ୩୦ ଫୁଟ୍ ଓଭରବ୍ରିଜ୍ ଉପରକୁ ଅଜଗରଟି କେଉଁଠୁ ଆସିଲା? କୌଣସି ଗାଡ଼ିରେ ଏହାକୁ ବେଆଇନ ଭାବେ ଚୋରାଚାଲାଣ କରାଯାଉଥିବା ବେଳେ ଏହା ସେଥିରୁ ଖସିପଡ଼ିଥାଇପାରେ ବୋଲି ସନ୍ଦେହ କରାଯାଉଛି ।