ଭୁବନେଶ୍ୱର: ଆଜି ଭିଜିଲାନ୍ସ ଜାଲରେ ଦୁଇ ଜଣ ସରକାରୀ ଅଧିକାରୀ ପଡ଼ିଛନ୍ତି । ଯାଜପୁର ବଡ଼ଚଣା ବ୍ଲକର ସହକାରୀ ଯନ୍ତ୍ରୀ ବନ୍ଦିତା ଦାସଙ୍କୁ ଭିଜିଲାନ୍ସ ଲାଞ୍ଚ ନେବାବେଳେ ଧରିବା ପରେ ତାଙ୍କ ବାସଭବନରେ ଚଢ଼ଉ କରିଛି । ସେହିପରି ସମ୍ବଲପୁର ଫ୍ୟାକ୍ଟ୍ରି ଓ ବଏଲର ସହକାରୀ ନିର୍ଦ୍ଦେଶକ ଉମାକାନ୍ତ ସାମନ୍ତରାୟଙ୍କ ଘରେ ଭିଜିଲାନ୍ସ ଟିମ୍ ରେଡ୍ ଆରମ୍ଭ କରିଛି ।
ସହକାରୀ ଯନ୍ତ୍ରୀଙ୍କ ଘରୁ ମିଳିଲା ୫ ଲକ୍ଷ ନଗଦ ଅର୍ଥ
ଯାଜପୁର ବଡ଼ଚଣା ବ୍ଲକର ସହକାରୀ ଯନ୍ତ୍ରୀ ବନ୍ଦିତା ଦାସଙ୍କୁ ଗତକାଲି ଲାଞ୍ଚ ନେବାବେଳେ ଭିଜିଲାନ୍ସ ଟିମ୍ ଧରିଥିଲା । ଏଇ ଏବଂ ତାଙ୍କ ସହଯୋଗୀ ସୋମନାଥ ସେଠୀଙ୍କ ବିରୁଦ୍ଧରେ ରୁଜୁ ହୋଇଥିବା ଏକ ଲାଞ୍ଚ ମାମଲାର ଆଜି ଚଢ଼ଉ କରାଯାଇଛି । ଆୟ ବହିର୍ଭୂତ ସମ୍ପତ୍ତି ଦୃଷ୍ଟିକୋଣରୁ ଏକକାଳୀନ ଚଢ଼ଉ କରାଯାଇଥିଲା। ଏହି ଚଢ଼ଉ ସମୟରେ, କଟକର ଜଗତପୁରସ୍ଥିତ ଜେନାମଣି ମଣ୍ଡପ ନିକଟରେ ଥିବା ତାଙ୍କ ବାସଭବନରୁ ୫ ଲକ୍ଷ ୧୫ ହଜାର ୨୦୦ ଟଙ୍କା ନଗଦ ଅର୍ଥ ଠାବ କରାଯାଇଛି ।
ଗତକାଲି ବନ୍ଦିତା ଦାଶ ଏବଂ ତାଙ୍କ ସହଯୋଗୀ ସୋମନାଥ ସେଠୀଙ୍କୁ ଭିଜିଲାନ୍ସ ବିଭାଗ ଗିରଫ କରିଥିବା । ସୁରକ୍ଷା ଜମା (security deposit) ଫେରସ୍ତ କରିବା ଏବଂ ବକେୟା ବିଲ୍ ପୈଠ କରିବା ପାଇଁ ୩୫,୦୦୦ ଟଙ୍କା ଲାଞ୍ଚ ଦାବି କରିବା ଓ ଗ୍ରହଣ କରିବା ଅଭିଯୋଗରେ ସେମାନଙ୍କୁ ଗିରଫ କରାଯାଇଥିଲା । ବଡ଼ଚଣା ବ୍ଲକରେ ଏକ ବିଦ୍ୟାଳୟର ନିର୍ମାଣ କାର୍ଯ୍ୟ ସମ୍ପନ୍ନ କରିଥିବା ଠିକାଦାର ଟଙ୍କା ପାଇଁ ପାଇଁ ବିଲ୍ ଦାଖଲ କରିଥିଲେ। ଯେତେବେଳେ ଠିକାଦାର ସୁରକ୍ଷା ଜମା ଫେରସ୍ତ ଏବଂ ବକେୟା ବିଲ୍ ପୈଠ ପାଇଁ ଅନୁରୋଧ କଲେ, ସେତେବେଳେ ବନ୍ଦିତା ଦାଶ ଉଭୟ କାର୍ଯ୍ୟ ପାଇଁ ୩୫,୦୦୦ ଟଙ୍କା ଲାଞ୍ଚ ଦାବି କରିଥିଲେ। ଏଥିରେ ଅତିଷ୍ଠ ହୋଇ ଠିକାଦାର ଭିଜିଲାନ୍ସ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରିଥିଲେ। ଭିଜିଲାନ୍ସର ଏକ ଟିମ୍ ଅଭିଯୋଗକାରୀଙ୍କଠାରୁ ୩୫,୦୦୦ ଟଙ୍କା ଲାଞ୍ଚ ନେଉଥିବା ସମୟରେ ଶ୍ରୀମତୀ ଦାଶ ଏବଂ ଶ୍ରୀ ସେଠୀ ଉଭୟଙ୍କୁ କାବୁ କରିଥିଲା। ସେମାନଙ୍କ ନିକଟରୁ ସମୁଦାୟ ଲାଞ୍ଚ ଟଙ୍କା ଜବତ କରାଯାଇଥିଲା ।
ସମ୍ବଲପୁର ଫ୍ୟାକ୍ଟ୍ରି ଓ ବଏଲର ସହକାରୀ ନିର୍ଦ୍ଦେଶକଙ୍କ ଘରେ ରେଡ୍
ସେହିପରି ଭିଜିଲାନ୍ସ ଜାଲରେ ସମ୍ବଲପୁର ଫ୍ୟାକ୍ଟ୍ରି ଓ ବଏଲର ସହକାରୀ ନିର୍ଦ୍ଦେଶକ ଉମାକାନ୍ତ ସାମନ୍ତରାୟ । ମଙ୍ଗଳବାର ସକାଳୁ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଉମାକାନ୍ତଙ୍କ ଘରେ ଭିଜିଲାନ୍ସ ଚଢ଼ଉ ଆରମ୍ଭ ହୋଇଛି । ସମ୍ବଲପୁର, ପୁରୀ ଓ ଖୋର୍ଦ୍ଧା ଜିଲ୍ଲାର ମୋଟ ୭ଟି ସ୍ଥାନରେ ଏକକାଳୀନ ଚଢ଼ାଉ ଜାରି ରହିଛି। ଉମାକାନ୍ତଙ୍କ ସମ୍ବଲପୁର ଧନକଉଡ଼ା ସନ୍ ସିଟି ଆପାର୍ଟମେଣ୍ଟର ଫ୍ଲାଟ୍, ଭୁବନେଶ୍ୱର ନନ୍ଦନ ବିହାରସ୍ଥିତ ଦୁଇ ମହଲା କୋଠା, ଜଟଣୀ ବାରକୁଡ଼ରେ ଥିବା କୋଠା, ପୁରୀ ବାଲିଗୁଆଳିରେ ଥିବା ୩ ମହଲା କୋଠା, ବାଲୁଗାଁରେ ଥିବା ଦୁଇଟି ଦୁଇ ମହଲା କୋଠା ଏବଂ ସମ୍ବଲପୁର କାର୍ଯ୍ୟାଳୟରେ ଯାଞ୍ଚ କରାଯାଉଛି। ଭିଜିଲାନ୍ସ ଟିମ୍ କଳା ସମ୍ପତ୍ତିର ଆକଳନ ପ୍ରକ୍ରିୟା ଜାରି ରଖିଛି।
ସମ୍ବଲପୁର ସ୍ପେଶାଲ ଜଜ୍ ଙ୍କ ସର୍ଚ୍ଚ ନିର୍ଦ୍ଦେଶରେ ସମ୍ବଲପୁର, ଭୁବନେଶ୍ୱର, ପୁରୀ ଓ ଖୋର୍ଦ୍ଧା ସର୍ଚ୍ଚ ଅପରେସନ୍ ରେ ୮ ଜଣ ଡିଏସପି, ୧୧ ଜଣ ଇନ୍ସପେକ୍ଟର ଓ ୧୧ ଜଣ ଏସଆଇ ସାମିଲ ଅଛନ୍ତି।