କେନ୍ଦୁଝର ଜିଲ୍ଲାରେ ଚାଞ୍ଚଲ୍ୟ। ଜନସେବା କେନ୍ଦ୍ର ମାଲିକଙ୍କୁ ଗୁଳିମାଡ଼ ପରେ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଛନ୍ତି ଦୁର୍ବୃତ୍ତ। ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ପରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ମୃତକ ହେଲେ ଖଜିରାପଶି ଗାଁର ତ୍ରିଲୋଚନ ମହାନ୍ତ। ତାଙ୍କ ପତ୍ନୀ ଜଣେ ମହିଳା କନେଷ୍ଟବଳ ବୋଲି ଜଣାପଡ଼ିଛି।
ସୂଚନା ଅନୁସାରେ, ତୁରୁମୁଙ୍ଗା ଥାନା ଅଧୀନ କେନ୍ଦେଇପଶି ଅଞ୍ଚଳରେ ତ୍ରିଲୋଚନ ଏକ ଜନସେବା କେନ୍ଦ୍ର ପରିଚାଳନା କରୁଥିଲେ। ସୋମବାର ରାତି ପ୍ରାୟ ୧୧ଟା ୩୦ରେ ଦୋକାନ ବନ୍ଦ କରି ପାଟଣା ଅଭିମୁଖେ ଫେରୁଥିବା ବେଳେ ଖୁଣ୍ଟାପଡ଼ା ନିକଟରେ ତାଙ୍କୁ ଅଟକାଇଥିଲେ ଦୁର୍ବୃତ୍ତ।
ପ୍ରାଥମିକ ସୂଚନା ଅନୁଯାୟୀ, ଦୁର୍ବୃତ୍ତମାନେ ତ୍ରିଲୋଚନଙ୍କ ଉପରକୁ ପ୍ରାୟ ୩ ରାଉଣ୍ଡ ଗୁଳି ଚଳାଇଥିଲେ। ଏଥିରେ ତାଙ୍କ ହାତରେ ଗୁଳି ବାଜିଥିବା ବେଳେ ପରେ ଧାରୁଆ ଅସ୍ତ୍ରରେ ମଧ୍ୟ ଆକ୍ରମଣ କରାଯାଇଥିବା ଜଣାପଡ଼ିଛି। ଗୁରୁତର ଅବସ୍ଥାରେ ତାଙ୍କୁ ଧରଣୀଧର ମେଡିକାଲରେ ଭର୍ତ୍ତି କରାଯାଇଥିଲା। ହେଲେ ଚିକିତ୍ସା ଚାଲିଥିବା ସମୟରେ ତାଙ୍କ ଜୀବନ ଚାଲିଯାଇଛି।
ଘଟଣା ପରେ ଦୁର୍ବୃତ୍ତମାନେ ସେଠାରୁ ଫେରାର ହୋଇଯାଇଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ ଆରମ୍ଭ କରିଛି। ଘଟଣାସ୍ଥଳରୁ ୩ଟି ଖାଲି ଗୁଳି ଖୋକା ଜବତ ହୋଇଥିବା ସୂଚନା ମିଳିଛି। ଅଞ୍ଚଳକୁ ଘେରାଉ କରି ପ୍ରମାଣ ସଂଗ୍ରହ କରୁଛି ପୁଲିସ।
ଜନସେବା କେନ୍ଦ୍ରରୁ କିଛି ଟଙ୍କା ନିଖୋଜ ଥିବା ନେଇ ମଧ୍ୟ ସୂଚନା ମିଳିଛି। ତେଣୁ ଲୁଟ୍ ଉଦ୍ଦେଶ୍ୟରେ ଏହି ଆକ୍ରମଣ ହୋଇଥିଲା କି, ନା ପୂର୍ବ ଶତ୍ରୁତାରୁ ତ୍ରିଲୋଚନଙ୍କୁ ଟାର୍ଗେଟ କରାଯାଇଥିଲା, ସେନେଇ ପୁଲିସ ତଦନ୍ତ ଜାରି ରଖିଛି। ହତ୍ୟାର ପ୍ରକୃତ କାରଣ ଓ ଅଭିଯୁକ୍ତଙ୍କ ପରିଚୟ ଖୋଜିବା ପାଇଁ ସ୍ଥାନୀୟ ଅଞ୍ଚଳରେ ଛାନଭିନ୍ ଚାଲିଛି।