ଭୁବନେଶ୍ୱର: ବିଭିନ୍ନ ଦାବିକୁ ନେଇ ନବ ନିର୍ମାଣ କୃଷକ ସଂଗଠନ ଏବଂ ନବ ନିର୍ମାଣ ଯୁବ ଛାତ୍ର ସଂଗଠନ ପକ୍ଷରୁ ଆସନ୍ତାକାଲି ୧୨ ଘଣ୍ଟିଆ 'ଓଡ଼ିଶା ବନ୍ଦ' ଡାକରା ଦିଆଯାଇଛି। ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଏହି ରାଜ୍ୟବ୍ୟାପୀ ସାଧାରଣ ଧର୍ମଘଟ ପାଳନ କରାଯିବ। ତେବେ ଏହି ବନ୍ଦକୁ ବିଜେଡି, କଂଗ୍ରେସ ଏବଂ ବାମପନ୍ଥୀ ଦଳ ଭଳି ପ୍ରମୁଖ ବିରୋଧୀ ଦଳଗୁଡ଼ିକ ପୂର୍ଣ୍ଣ ସମର୍ଥନ ଜଣାଇଥିବାରୁ ପରିସ୍ଥିତିକୁ ନେଇ ପ୍ରଶାସନ ତତ୍ପର ହୋଇଉଠିଛି।
ଗୃହ ବିଭାଗର କଡ଼ା ନିର୍ଦ୍ଦେଶ
ବନ୍ଦ ଡାକରାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ଗୃହ (ସ୍ୱତନ୍ତ୍ର) ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାର ଜିଲ୍ଲାପାଳ ଓ ଏସପିଙ୍କୁ ସତର୍କ କରାଯାଇଛି। ଗୃହ ବିଭାଗର ଯୁଗ୍ମ ଶାସନ ସଚିବ ଶରତ ଚନ୍ଦ୍ର ମାରାଣ୍ଡି ସମସ୍ତ ଜିଲ୍ଲାପାଳଙ୍କୁ ଏକ ସତର୍କତାମୂଳକ ଚିଠି ଲେଖିଛନ୍ତି। ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣରେ ରଖିବା ସହ ଆବଶ୍ୟକୀୟ ପ୍ରତିଷେଧକ ଏବଂ ସୁରକ୍ଷାମୂଳକ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ସମ୍ଭାବ୍ୟ ପ୍ରଭାବ ଏବଂ ପ୍ରଶାସନିକ ପ୍ରସ୍ତୁତି
ସକାଳ ୬ଟାରୁ ସନ୍ଧ୍ୟା ୬ଟା ମଧ୍ୟରେ ବିଭିନ୍ନ ସ୍ଥାନରେ ରାସ୍ତାରୋକ, ଗାଡ଼ିମୋଟର ଚଳାଚଳ ବାଧାପ୍ରାପ୍ତ ହେବା ଏବଂ ଟାୟାର ଜାଳି ପ୍ରତିବାଦ କରାଯିବାର ସମ୍ଭାବନା ରହିଛି। କେନ୍ଦ୍ର ଓ ରାଜ୍ୟ ସରକାରୀ କାର୍ଯ୍ୟାଳୟଗୁଡ଼ିକ ଯେପରି ସ୍ୱାଭାବିକ ଭାବେ କାର୍ଯ୍ୟକ୍ଷମ ରହିବ, ସେଥିପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରିବାକୁ କୁହାଯାଇଛି। ଆମ୍ବୁଲାନ୍ସ ଏବଂ ଅନ୍ୟାନ୍ୟ ଜରୁରୀକାଳୀନ ସେବାଗୁଡ଼ିକ ଯେପରି କୌଣସି ପରିସ୍ଥିତିରେ ବି ପ୍ରଭାବିତ ନହୁଏ, ସେଥିପାଇଁ ପ୍ରଶାସନକୁ ତୀକ୍ଷ୍ଣ ନଜର ରଖିବାକୁ ପରାମର୍ଶ ଦିଆଯାଇଛି।
Also Read: ଆସନ୍ତାକାଲି ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ୧୨ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା