ମୁମ୍ବାଇ: ମହାରାଷ୍ଟ୍ର ପୁଣେର କେତନ ଅଗ୍ରୱାଲ ହତ୍ୟାକାଣ୍ଡ ମାମଲାରେ ପୋଲିସ ଅନ୍ତିମ ଚାର୍ଜସିଟ୍ ଦାଖଲ କରିଛି । ପୋଲିସ ୫,୦୫୩ ପୃଷ୍ଠା ସମ୍ବଳିତ ଏକ ବିସ୍ତୃତ ଚାର୍ଜସିଟ୍ ଦାଖଲ କରିଛି । ଯେଉଁଥିରେ ହତ୍ୟା କରିବାର ଷଡ଼ଯନ୍ତ୍ର, ଗୁଗୁଲ ସର୍ଚ୍ଚ, ହତ୍ୟା କରିବାର ଉପାୟ ଭଳି ବିଭିନ୍ନ ରିପୋର୍ଟ ରହିଛି ।
ପୁଣେର କେତନ ଅଗ୍ରୱାଲଙ୍କୁ ତାଙ୍କର ଭାବି ପତ୍ନୀ ସିୟା ଗୋୟଲ ତାଙ୍କ ପ୍ରେମିକ ଚେତନ ଚୌଧୁରୀ ସହିତ ମିଶି ପାହାଡ଼ରୁ ଠେଲି ହତ୍ୟା କରିଥିଲେ । ସିୟା ହତ୍ୟା କରିବା ପୂର୍ବରୁ ଏକାଧିକ ଥର ଗୁଗୁଲ ସର୍ଚ୍ଚ କରିଥିଲେ । ଯେପରିକି “ଛତୁ” ଦ୍ୱାରା କେମିତି ହତ୍ୟା କରାଯାଇପାରିବ । ପ୍ରୀତି ସିଂହ ଯିଅ ଛତୁରେ ବିଷ ଦେଇ ନିଜ ପରିବାର ଲୋକଙ୍କ ହତ୍ୟା କରିଥିଲେ । ଏମିତିକି ସେ ମଧ୍ୟ ପ୍ରଦେଶର “ସୋନମ୍ ରଘୁବଂଶୀ” ମାମଲାକୁ ଗୁଗୁଲରେ ଖୋଳତାଡ଼ କରିଥିଲେ । ଯିଏ ହନିମୁନରେ ଥିବାବେଳେ ତାଙ୍କ ସ୍ୱାମୀ ରାଜା ରଘୁବଂଶୀଙ୍କୁ ପାହାଡ଼ରୁ ଧକ୍କା ଦେଇ ହତ୍ୟା କରିଥିଲେ । ଚାର୍ଜସିଟରେ ଉଲ୍ଲେଖ ରହିଛି ଯେ ସିୟା ଏ ସମସ୍ତ ବିଷୟରେ ଇଣ୍ଟରନେଟରୁ ସର୍ଚ୍ଚ କରିଥିଲେ । ହତ୍ୟାସ୍ଥଳକୁ ଲୋହାଗଡ଼କୁ ବାଛିଥିଲେ ।
ହତ୍ୟାକାଣ୍ଡର ଦୁଇ ଦିନ ପୂର୍ବରୁ ଅର୍ଥାତ ମେ ୨୮ରେ ସିୟା ଲୋହାଗଡ଼କୁ ଯାଇ ସେଠାରେ ହତ୍ୟାକାଣ୍ଡର ପ୍ରକୃତ ସ୍ଥାନକୁ ବାଛିଥିଲେ । କେମିତି ହତ୍ୟାକୁ ରୂପ ଦେବେ ଜାଲ ବିଛାଇ ଥିଲେ । ଏହା ପରେ ମେ ୨୯ରେ ସୋନମ୍ ରଘୁବଂଶୀ ମାମଲାରେ ସର୍ଚ୍ଚ କରିଥିଲା । ମେ ୩୧ ରେ ଟ୍ରେକିଂ ବାହାନାରେ କେତନ ଅଗ୍ରୱାଲଙ୍କୁ ଲୋହାଗଡ଼କୁ ନେଇକି ଯାଇଥିଲେ । ସେଠାରେ ଫଟୋ ଉଠାଇ ହତ୍ୟା କରିବାର ସ୍ଥାନକୁ ଚିହ୍ନଟ କରି ପ୍ରେମିକ ଚେତନ ଚୌଧୁରୀକୁ ପଠାଇଥିଲେ । ଏହି ସମସ୍ତ ଷଡ଼ଯନ୍ତ୍ର ପୂର୍ବରୁ ସିୟା ଏବଂ ଚେତନ ପୁରା ଅଭ୍ୟାସ କରିଥିଲେ । ସେଥିପାଇଁ ଲୁଲ୍ଲାନଗରରେ ଉଭୟ ପ୍ରଥମେ ଅଭ୍ୟାସ କରିଥିଲେ ।
ଏହା ପରେ ଜୁନ ୧୮ ତାରିଖରେ ପୂର୍ବର ଯୋଜନା ମୁତାବକ ସିୟା, କେତନଙ୍କୁ ସାଥିରେ ନେଇ ଲୋହାଗଡ଼ ଯାଇଥିଲେ । ଯେଉଁଠାରେ ସେ କେତନଙ୍କୁ ପାହାଡ଼ ତଳକୁ ଧକ୍କା ଦେଇ ହତ୍ୟା କରିଥିଲେ ବୋଲି ପୋଲିସ ଚାର୍ଜସିଟରେ ଉଲ୍ଲେଖ କରିଛି ।
ଆଉ ସବୁଠୁ ଦୁଃଖଦ ବିଷୟ ହେଉଛି ଯେଉଁ ସିୟା କେତନଙ୍କୁ ଜୀବନରୁ ମାରିବାକୁ ଷଡ଼ଯନ୍ତ୍ର ରଚୁଥିଲେ ସେତେବେଳେ କେତନ ନିଜ ପିଠିରେ ତାଙ୍କ ପ୍ରେମକୁ ଅମର କରିବାକୁ ସିୟାଙ୍କ ନାମରେ ଟାଟୁ ତିଆରି କରିଥିଲେ । ସେ ନିଜ ଜନ୍ମ ଦିନରେ ସିୟାଙ୍କୁ ସେହି ଟାଟୁ ଦେଖାଇ ସରପ୍ରାଇଜ୍ ଦେବାକୁ ଚାହୁଁଥିଲେ । ଯାହାର ଭିଡ଼ିଓ ମଧ୍ୟ ରହିଛି ।