ଗୁଆହାଟୀ: ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (BCCI)ର ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକରଙ୍କ କାର୍ଯ୍ୟକାଳ ସରିବାକୁ ବସିଛି। ଆସନ୍ତା ଅକ୍ଟୋବର ୪ ତାରିଖରେ ବୋର୍ଡ ସହିତ ତାଙ୍କର ଚୁକ୍ତି ସମାପ୍ତ ହେବାକୁ ଯାଉଛି ଏବଂ ଏହାସହ ସେ ଭାରତୀୟ କ୍ରିକେଟ୍ ଇତିହାସର ଏକ ପୃଷ୍ଠା ପାଲଟିଯିବେ।
ବର୍ତ୍ତମାନ ଆସାମର ଗୁଆହାଟୀଠାରେ ଚୟନ କମିଟିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି, ଯେଉଁଥିରେ ଅଗରକର ଅନୁପସ୍ଥିତ ଥିବା ଦେଖିବାକୁ ମିଳିଛି। ତେବେ ନୂତନ ଚୟନକର୍ତ୍ତା ବା ଅଧ୍ୟକ୍ଷ ନିଯୁକ୍ତ ନ ହେବା ପର୍ଯ୍ୟନ୍ତ ବିସିସିଆଇ ପକ୍ଷରୁ ଏକ ଅସ୍ଥାୟୀ ବ୍ୟବସ୍ଥା କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ବର୍ତ୍ତମାନର ଚାରିଜଣ ଚୟନକର୍ତ୍ତାଙ୍କ ମଧ୍ୟରୁ ଟେଷ୍ଟ ମ୍ୟାଚ୍ ଖେଳିବା ଦୃଷ୍ଟିରୁ ସବୁଠାରୁ ବରିଷ୍ଠ ଥିବା ପୂର୍ବତନ ସ୍ପିନର୍ ପ୍ରଜ୍ଞାନ ଓଝାଙ୍କୁ ଅନ୍ତଃକାଳୀନ ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିବାକୁ କୁହାଯାଇଛି।
ତେବେ ଏହି ବ୍ୟବସ୍ଥା କେବଳ କିଛି ଦିନ ପାଇଁ ରହିବ ନା ଦୀର୍ଘସ୍ଥାୟୀ ହେବ, ସେନେଇ ନୂତନ ଚୟନକର୍ତ୍ତାଙ୍କ ଆଗମନ ପରେ ହିଁ ସ୍ପଷ୍ଟ ହେବ। କଳ୍ପନାଜଳ୍ପନା ଚାଲିଛି ଯେ ଯଦି ପାର୍ଥୀବ ପଟେଲଙ୍କୁ ଏହି ଦାୟିତ୍ୱ ମିଳେ, ତେବେ ସେ ଚେୟାରମ୍ୟାନ୍ ହେବେ, ନଚେତ୍ ଓଝା ଏହି ପଦବୀରେ ଜାରି ରହିବାର ସମ୍ଭାବନା ମଧ୍ୟ ରହିଛି।