ନୂଆଦିଲ୍ଲୀ: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଥିବା ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ର ଅନ୍ତିମ ତଥା ଶେଷ ମୁକାବିଲା ଆସନ୍ତା ରବିବାର ଖେଳାଯିବ। ତିନି ମ୍ୟାଚ୍ର ଏହି ସିରିଜ୍କୁ ଟିମ୍ ଇଣ୍ଡିଆ ପୂର୍ବରୁ ହିଁ ୨-୦ରେ କବ୍ଜା କରିସାରିଛି। ଏପରି ସ୍ଥିତିରେ, ଶେଷ ମ୍ୟାଚ୍ ଜିତି ୱେଷ୍ଟଇଣ୍ଡିଜ୍ ବିପକ୍ଷରେ କ୍ଲିନ୍ ସୁଇପ୍ କରିବା ସହ ପ୍ଲେଇଙ୍ଗ୍ ଇଲେଭେନ୍ରେ କିଛି ପରିବର୍ତ୍ତନ କରି ବେଞ୍ଚରେ ବସିଥିବା ଖେଳାଳିମାନଙ୍କୁ ପରୀକ୍ଷା କରିବାକୁ ଭାରତୀୟ ଟିମ୍ ମ୍ୟାନେଜମେଣ୍ଟ ଯୋଜନା କରୁଛି।
ସିରିଜ୍ କବ୍ଜା, ହେଲେ ବୋଲିଂ ଚିନ୍ତା
ଭାରତୀୟ ଦଳ ସିରିଜ୍ରେ ପ୍ରାଧ୍ୟାନ୍ୟ ବିସ୍ତାର କରିଥିଲେ ମଧ୍ୟ ଗତ କିଛି ମ୍ୟାଚ୍ରେ ବୋଲରମାନଙ୍କ ପ୍ରଦର୍ଶନ ଏବଂ ପିଚ୍ର ମିଜାଜ୍ ଚିନ୍ତାର ବିଷୟ ପାଲଟିଛି। ଗତ ଦିନିକିଆରେ ଉଭୟ ଦଳ ପକ୍ଷରୁ ମୋଟ ୮୦୦ରୁ ଅଧିକ ରନ୍ ସ୍କୋର ହୋଇଥିଲା, ଯାହା ବୋଲିଂ ଏବଂ ବ୍ୟାଟିଂ ମଧ୍ୟରେ ଅନ୍ତରକୁ ସ୍ପଷ୍ଟ କରିଛି। ମୁଖ୍ୟ ପ୍ରଶ୍ନ ହେଉଛି ବ୍ୟାଟ୍ ଏବଂ ବଲ୍ ମଧ୍ୟରେ ସନ୍ତୁଳନ ରକ୍ଷା କରିବା, ଯାହାକୁ ନେଇ କୋଚ୍ ଗୌତମ ଗମ୍ଭୀର ମଧ୍ୟ ନିଜର ଅସନ୍ତୋଷ ପ୍ରକାଶ କରିସାରିଛନ୍ତି।
ପ୍ରସିଦ୍ଧ କ୍ରିଷ୍ଣା ଆହତ, ଦଳରେ ନୂଆ ଚେହେରା
ଶେଷ ଦିନିକିଆ ପୂର୍ବରୁ ଟିମ୍ ଇଣ୍ଡିଆକୁ ଝଟକା ଲାଗିଛି। ଦ୍ରୁତ ବୋଲର ପ୍ରସିଦ୍ଧ କ୍ରିଷ୍ଣା ଆହତ ହୋଇ ସିରିଜ୍ରୁ ବାଦ ପଡ଼ିଛନ୍ତି। ତାଙ୍କ ସ୍ଥାନରେ ଯୁବ ଅଲରାଉଣ୍ଡର ଅଂଶୁଲ କମ୍ବୋଜଙ୍କୁ ଦଳରେ ସାମିଲ କରାଯାଇଛି। ସିରିଜ୍ ହାତେଇ ସାରିଥିବାରୁ ଟିମ୍ କିଛି ସିନିୟର ଖେଳାଳିଙ୍କୁ ବିଶ୍ରାମ ଦେଇ ବେଞ୍ଚରେ ବସିଥିବା ଯୁବ ପ୍ରତିଭାମାନଙ୍କୁ ସୁଯୋଗ ଦେଇପାରେ।
ପ୍ରସିଦ୍ଧ କ୍ରିଷ୍ଣାଙ୍କ ଅନୁପସ୍ଥିତିରେ ଅନ୍ୟ ଅପେକ୍ଷାକୃତ ଅଭିଜ୍ଞତା କମ୍ ଥିବା ବୋଲରଙ୍କୁ ମୈଦାନକୁ ଓହ୍ଲାଇବାର ସମ୍ଭାବନା ରହିଛି। ରବିବାର ମହାରାଜା ଯାଦବୀନ୍ଦ୍ର ସିଂହ ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମ୍ (ମୁଲ୍ଲାପୁର)ରେ ଖେଳାଯିବାକୁଥିବା ଏହି ମ୍ୟାଚ୍ରେ ଭାରତୀୟ କ୍ୟାପ୍ଟେନ୍ ଚୂଡ଼ାନ୍ତ ଏକାଦଶରେ କି କି ବଡ଼ ପରିବର୍ତ୍ତନ କରୁଛନ୍ତି, ତାହା ଉପରେ ସମସ୍ତଙ୍କ ନଜର ରହିବ।