ଭୁବନେଶ୍ୱର : ଆଜି ମୂଳାଷ୍ଟମୀ । ଆଜିଠାରୁ ପାର୍ବଣ ଋତୁ ଆରମ୍ଭ ହେବ । ଅବସରରେ ଓଡ଼ିଶାର ବିଭିନ୍ନ ପ୍ରସିଦ୍ଧ ଶକ୍ତିପୀଠମାନଙ୍କରେ ମାଆଙ୍କର ଷୋଡ଼ଶଦିନାତ୍ମକ (୧୬ ଦିନିଆ) ଷୋଡ଼ଶ ଉପଚାର ପୂଜା ଆରମ୍ଭ ହୋଇଯାଇଛି।
ପୁରୀର ମା’ ବିମଳା, କାକୁଡ଼ିଖାଇ, କଟକର ଗଡ଼ଚଣ୍ଡୀ, କଟକ ଚଣ୍ଡୀ, ଝଙ୍କଡ଼ର ମା’ ଶାରଳା, ଯାଜପୁରର ବିରଜା, ବାଙ୍କୀର ଚର୍କିକା, କଳାହାଣ୍ଡିର ମାଣିକେଶ୍ବରୀଙ୍କ ଭଳି ସମସ୍ତ ଶକ୍ତିପୀଠରେ ମା’ଙ୍କର ସ୍ବତନ୍ତ୍ର ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରାଯାଉଛି ।
କଟକ ଚଣ୍ଡୀଙ୍କ ଠାରେ ଆରମ୍ଭ ହେଲାଣି ଷୋଡ଼ଶ ଉପଚାର ପୂଜା । ଘଟ ପ୍ରତିଷ୍ଠା ପରେ ଆସନ୍ତାକାଲି ଠାରୁ ୧୬ ବେଶରେ ଦର୍ଶନ ନ ଦେବେ ମା’ କଟକ ଚଣ୍ଡୀ । ମା’ଙ୍କ ସବୁଠାରୁ ବଡ଼ ପର୍ବ ହେଉଛି ଦୁର୍ଗାପୂଜା। ଝଙ୍କଡ ମା ଶାରଳା ପୀଠରେ ମଧ୍ଯ ପୂଜା ଆରମ୍ଭ ହୋଇଛି। ସେଥିପାଇଁ ସଜେଇ ହୋଇଛି ମା’ ଙ୍କ ପୀଠ।
ସେହିପରି କାକଟପୁରର ଅଧିଷ୍ଠାତ୍ରୀ ଦେବୀ ମା’ ମଙ୍ଗଳାଙ୍କ ପୀଠରେ ଆଜି ଠାରୁ ମାଆଙ୍କ ସହସ୍ର କୁମ୍ଭାଭିଷେକ । ୧୦୮ ସୁବାସିତ ଜଳରେ ମାଆ ସ୍ନାନ କରିବେ । ଶୟନରତ ଥିବା ମା’ ମଙ୍ଗଳାମୟୀଙ୍କୁ ଜାଗ୍ରତ କରାଯିବ । ଘଣ୍ଟ ଘଣ୍ଟା ମନ୍ତ୍ର ପାଠ ସହ କମ୍ପି ଉଠିବ ମା’ଙ୍କ ମନ୍ଦିର। ସେଥିପାଇଁ ମା’ଙ୍କ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଗହଳି ଆରମ୍ଭ ହୋଇଛି l ଏବେ ପଞ୍ଚ ଉପଚାରରେ ପୂଜା ନୀତି ଚାଲୁଥିବାବେଳେ ଆଜିଠାରୁ ନୀତି ପରିବର୍ତନ ହୋଇ ଷୋଡ଼ଶ ଉପଚାର ରେ ପୂଜା ନୀତି ଚାଲିବ । ସେଥିପାଇଁ ପାଇଁ ସ୍ୱତନ୍ତ୍ର ଭାବେ ସଂକଳ୍ପିତ ପୂଜା ପଣ୍ଡା ନିଷ୍ଠାର ସହ ଏହି ୧୬ଦିନ ବ୍ୟାପି ପୂଜା କରିବେ ।
ସେପଟେ ଆଜିଠାରୁ ଶ୍ରୀମନ୍ଦିରରେ ମା ବିମଳାଙ୍କର ଷୋଳ ପୂଜା ବିଧିହେବ। ସହସ୍ରା କୁମ୍ଭାଭିଷେକ ପରେ ନିଦ୍ରାରୁ ଜାଗ୍ରତ କରାଯାଇ ମା ବିମଳାଙ୍କର ଘଟ ସ୍ଥାପନ ସହ ଆବାହନ କରାଯାଇଛି। ଏଥିପାଇଁ ଶ୍ରୀନଅରରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ୨୧ଜଣ ବ୍ରାହ୍ମଣଙ୍କୁ ଆଚାର୍ଯ୍ୟ ବରଣ କରି ଦେବୀ ପୀଠ ମାନଙ୍କରେ ଷେଡଶ ଦିନାତ୍ମକ ପୂଜା ପାଇଁ ଆମନ୍ତ୍ରଣ କରିଛନ୍ତି। ଶାରଦୀୟ ପୂଜା ଅବସରରେ ଦେବୀ ଦୁର୍ଗାଙ୍କର ପୂଜା ଚାଲିଥିବାବେଳେ ଶ୍ରୀମନ୍ଦିରରେ ଦୁର୍ଗା ମାଧବ ଏକତ୍ର ଉପାସନାର ପରମ୍ପରା ରହିଛି। ଶ୍ରୀମନ୍ଦିରରେ ଆଜିଠାରୁ ଶାକ୍ତ ଏବଂ ଶକ୍ତିଙ୍କର ଉପାସନା ସ୍ଵରୂପ ଦୁର୍ଗା ମାଧବଙ୍କୁ ପୂଜାର୍ଚ୍ଚନା କରାଯାଇଛି। ଶାରଦୀୟ ପୂଜା ପାଇଁ ଶ୍ରୀମନ୍ଦିରରେ ମାଆ ବିମଳାଙ୍କ ପୀଠ ସହ ପୁରୀର ଅନ୍ୟାନ୍ୟ ପ୍ରତିଷ୍ଠିତ ଶକ୍ତିପୀଠ ପାଇଁ ଶ୍ରୀନଅରକୁ ବ୍ରାହ୍ମଣ ମାନଙ୍କୁ ଆମନ୍ତ୍ରଣ କରାଯାଇଛି। ଆଜିଠୁ ଶ୍ରୀକ୍ଷେତ୍ରରେ ସବୁ ଶକ୍ତିପୀଠ ମାନଙ୍କରେ ଚଣ୍ଡିପାଠ ଆରମ୍ଭ ହେବ।