ଭୁବନେଶ୍ୱର: ଆଗାମୀ ୨୦୨୭ ପଞ୍ଚାୟତ ଏବଂ ପୌର ନିର୍ବାଚନକୁ ସମ୍ପୂର୍ଣ୍ଣ ସ୍ୱଚ୍ଛ ଓ ତ୍ରୁଟିଶୂନ୍ୟ କରିବା ପାଇଁ ରାଜ୍ୟରେ ଏକ ବଡ଼ଧରଣର ପ୍ରସ୍ତୁତି ଆରମ୍ଭ ହୋଇଛି। ଏଣିକି ଭୋଟର ତାଲିକାରେ କେବଳ ନାଁ ରହିବନି, ବରଂ 'ଗୋଟିଏ ଘର, ଗୋଟିଏ ନମ୍ବର' ଆଧାରରେ ପରିବାରର ସମସ୍ତ ଭୋଟରଙ୍କ ସମ୍ପୂର୍ଣ୍ଣ ତଥ୍ୟ ସଂଗ୍ରହ କରାଯିବ। ପ୍ରଶାସନର ଏହି ନିଆରା ପଦକ୍ଷେପ ଦ୍ୱାରା ମତଦାତାଙ୍କର ସଠିକ୍ ଚିତ୍ର ସାମ୍ନାକୁ ଆସିବ।
୭ଟି ପ୍ରଶ୍ନ ଏବଂ ଭୌଗୋଳିକ ସୀମା ଚିହ୍ନଟ
ପ୍ରାଥମିକ ପର୍ଯ୍ୟାୟରେ ଏହି ସର୍ଭେ ପାଇଁ ମୁଖ୍ୟତଃ ୭ଟି ପ୍ରଶ୍ନକୁ ଆଧାର କରାଯାଇଛି। ଯେପରିକି ଘରେ ମୋଟ କେତେଜଣ ଭୋଟର ଅଛନ୍ତି? ସମସ୍ତଙ୍କର EPIC (ଭୋଟର ପରିଚୟ ପତ୍ର) ଅଛି କି ନାହିଁ? କାହାର ନାଁ ଅନ୍ୟ ବୁଥ୍ କିମ୍ବା ଅନ୍ୟ ନିର୍ବାଚନମଣ୍ଡଳୀରେ ରହିଛି କି? ଏବଂ ବିବାହ ପରେ କେହି ଅନ୍ୟତ୍ର ରହୁଛନ୍ତି କି ନାହିଁ? ଏହି ସର୍ଭେ ମାଧ୍ୟମରେ ପ୍ରତ୍ୟେକ ଘରର ନମ୍ବର, ଠିକଣା ଏବଂ ଭୌଗୋଳିକ ସୀମା ସଠିକ୍ ଭାବେ ଚିହ୍ନଟ କରାଯିବ, ଯାହାଫଳରେ କେଉଁ ଘର କେଉଁ ୱାର୍ଡ ଓ ବୁଥ୍ ଅଧୀନରେ ଆସୁଛି ତାହା ସ୍ପଷ୍ଟ ହୋଇପାରିବ।
ପ୍ରଶିକ୍ଷଣ ଏବଂ ସର୍ଭେର ସମୟସୀମା
ଏହି ଅଭିଯାନକୁ ସଫଳ କରିବା ପାଇଁ ପ୍ରଥମେ ପ୍ରଶାସନିକ ସ୍ତରରେ କର୍ମଚାରୀଙ୍କୁ ତାଲିମ ଦିଆଯାଉଛି। ଅକ୍ଟୋବର ୬, ୭ ଓ ୮ ତାରିଖରେ ଜିଲ୍ଲାସ୍ତରୀୟ ଏବଂ ତା’ପରେ ଅକ୍ଟୋବର ୮ରୁ ୧୬ ତାରିଖ ପର୍ଯ୍ୟନ୍ତ ବ୍ଲକସ୍ତରୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହେବ।
ପ୍ରଶିକ୍ଷଣ ପରେ ବୁଥ୍ ସ୍ତରୀୟ ଅଧିକାରୀ (BLO), ଅଙ୍ଗନବାଡ଼ି କର୍ମୀ, ଶିକ୍ଷକ ଏବଂ ନିୟୋଜିତ କର୍ମଚାରୀମାନେ ସିଧାସଳଖ ଘରକୁ ଘର ବୁଲିବେ। ଆସନ୍ତା ଅକ୍ଟୋବର ୨୬ ତାରିଖରୁ ନଭେମ୍ବର ୩ ତାରିଖ ପର୍ଯ୍ୟନ୍ତ ଏହି ମହତ୍ତ୍ୱପୂର୍ଣ୍ଣ କ୍ଷେତ୍ରସ୍ତରୀୟ ସର୍ଭେ କରାଯିବ। ଏହି ବ୍ୟବସ୍ଥା ଦ୍ୱାରା ଭୋଟରମାନେ ମତଦାନ କରିବା ପୂର୍ବରୁ ସେମାନଙ୍କର ନାଁ କେଉଁ ସଠିକ୍ ବୁଥ୍ରେ ରହିଛି, ତାହା ସହଜରେ ଜାଣିପାରିବେ।