ଭୁବନେଶ୍ୱର: ଅସହ୍ୟ ଗରମ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରିଥିବାବେଳେ ଏହାରି ଭତରେ ଓଡ଼ିଶାବାସୀଙ୍କ ପାଇଁ ଆଉ ଏକ ଚିନ୍ତାର ବିଷୟ ସାମ୍ନାକୁ ଆସିଛି। ଅକ୍ଟୋବର ମାସ ଆସିବା ମାତ୍ରେ ରାଜ୍ୟରେ ପୁଣି ଥରେ ବାତ୍ୟା ଭୟ ଘନେଇବାରେ ଲାଗିଛି। ଭାରତୀୟ ପାଣିପାଗ ବିଭାଗ (IMD) ଏବଂ ବିଭିନ୍ନ ବିଶ୍ୱସ୍ତରୀୟ ପାଣିପାଗ ମଡେଲ୍ର ଆକଳନ ଏହି ଆଶଙ୍କାକୁ ଆହୁରି ବଢ଼ାଇ ଦେଇଛି।
ଆଣ୍ଡାମାନ ସାଗରରେ ଘୂର୍ଣ୍ଣିବଳୟ ଏବଂ ଲଘୁଚାପ ଆକଳନ
ଆଇଏମଡିର ପୂର୍ବାନୁମାନ ଅନୁଯାୟୀ, ଅକ୍ଟୋବର ଦ୍ୱିତୀୟ ସପ୍ତାହ ଅର୍ଥାତ୍ ଆସନ୍ତା ୧୨ ତାରିଖ ବେଳକୁ ଆଣ୍ଡାମାନ ସାଗରରେ ଏକ ନୂତନ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା କ୍ରମଶଃ ଘନୀଭୂତ ହୋଇ ଅକ୍ଟୋବର ୧୩ ତାରିଖରେ ଏକ ଲଘୁଚାପ ଏବଂ ୧୫ ତାରିଖ ବେଳକୁ କେନ୍ଦ୍ରୀୟ ଓ ପାର୍ଶ୍ୱବର୍ତ୍ତୀ ବଙ୍ଗୋପସାଗରରେ ଅବପାତ ରୂପ ନେଇପାରେ। ସେହି ସମୟରେ ରାଜ୍ୟରୁ ମୌସୁମୀ ସମ୍ପୂର୍ଣ୍ଣ ପ୍ରତ୍ୟାହାର ହୋଇସାରିଥିବ ଏବଂ ମୌସୁମୀ ପରବର୍ତ୍ତୀ ସାଇକ୍ଲୋନ୍ ସିଜିନ୍ ଆରମ୍ଭ ହୋଇଯାଇଥିବ, ଯାହାକି ବାତ୍ୟା ସୃଷ୍ଟି ପାଇଁ ପାଗକୁ ସମ୍ପୂର୍ଣ୍ଣ ଅନୁକୂଳ କରିଥାଏ।
ବିଶ୍ୱସ୍ତରୀୟ ମଡେଲ୍ ଏବଂ ବିଶେଷଜ୍ଞଙ୍କ ମତ
ECMWF, GFS ଏବଂ NCUM ପରି ପ୍ରମୁଖ ଅନ୍ତର୍ଜାତୀୟ ପାଣିପାଗ ମଡେଲ୍ର ଆକଳନ କହୁଛି ଯେ, ଏହି ସମ୍ଭାବ୍ୟ ଘୂର୍ଣ୍ଣିବଳୟ ବଙ୍ଗୋପସାଗରରେ ଶକ୍ତିଶାଳୀ ହୋଇ ବାତ୍ୟାର ରୂପ ନେଇପାରେ। ଏହା ଦକ୍ଷିଣ ଓଡ଼ିଶା କିମ୍ବା ଆନ୍ଧ୍ରପ୍ରଦେଶ ଉପକୂଳ ଆଡକୁ ମୁହାଁଇବାର ସମ୍ଭାବନା ରହିଛି। ପ୍ରସିଦ୍ଧ ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକଙ୍କ ଆକଳନ ମଧ୍ୟ ସାଇକ୍ଲୋନ୍ ଆଡ଼କୁ ଇଙ୍ଗିତ କରୁଛି। ତାଙ୍କ ସୂଚନା ମୁତାବକ, ଅକ୍ଟୋବର ୮ ରୁ ୧୫ ତାରିଖ ମଧ୍ୟରେ ବଙ୍ଗୋପସାଗରରେ ଘୂର୍ଣ୍ଣିଝଡ଼ ସୃଷ୍ଟି ହୋଇପାରେ। ତେବେ ଏହାର ପ୍ରକୃତ ତୀବ୍ରତା ଏବଂ ଗତିପଥ ନେଇ ଆସନ୍ତା ସପ୍ତାହରେ ଏକ ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିବ।
ଅକ୍ଟୋବରର କଳା ସ୍ମୃତି ଏବଂ ଦଶହରା ଭୟ
୧୯୯୯ ଅକ୍ଟୋବର ୨୯: ମହାବାତ୍ୟା
୨୦୧୩ ଅକ୍ଟୋବର ୧୧: ଫାଇଲିନ୍
୨୦୧୪ ଅକ୍ଟୋବର ୧୨: ହୁଡହୁଡ୍
୨୦୧୮ ଅକ୍ଟୋବର ୧୧: ତିତିଲି
ପୂର୍ବରୁ ଏହି ପ୍ରଳୟଙ୍କରୀ ବାତ୍ୟାଗୁଡ଼ିକ ଓଡ଼ିଶାରେ ବ୍ୟାପକ କ୍ଷତିଘଟାଇଥିବାରୁ, ଚଳିତଥର ପୁଣି ଅକ୍ଟୋବରରେ ବାତ୍ୟା ଆଶଙ୍କା ଲୋକଙ୍କ ମନରେ ଛନକା ପୂରାଇ ଦେଇଛି। ଏସବୁ ଭିତରେ ସମ୍ଭାବ୍ୟ ବର୍ଷା ଓ ବାତ୍ୟା ଯୋଗୁଁ ଆଗାମୀ ଦଶହରା ପର୍ବ ଧୋଇଯିବାର ମଧ୍ୟ ଆଶଙ୍କା ଦେଖାଦେଇଛି। ଚଳିତ ବର୍ଷ ବନ୍ୟା ଓ ୧୨ଟି ଲଘୁଚାପ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଥିବାବେଳେ ଏହି ନୂତନ ଆଶଙ୍କା ଚିନ୍ତାକୁ ଆହୁରି ବଢ଼ାଇ ଦେଇଛି।