ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ କ୍ୟାପ୍ଟେନ୍ ତଥା ବିସିସିଆଇର ପୂର୍ବତନ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ଆଗାମୀ ୨୦୨୭ ଦିନିକିଆ ବିଶ୍ୱକପ୍ ପାଇଁ ନିଜର ପ୍ଲେଇଙ୍ଗ୍ ଇଲେଭେନ୍ ଘୋଷଣା କରିଛନ୍ତି। 'ଷ୍ଟାର୍ ସ୍ପୋର୍ଟ୍ସ' ସହ ଆଲୋଚନାବେଳେ ସେ ଏପରି ଏକ ଏକାଦଶ ଚୟନ କରିଛନ୍ତି, ଯାହା ବଳରେ ଭାରତୀୟ ଟିମ୍ ପୁଣି ଥରେ ବିଶ୍ୱବିଜୟୀ ହୋଇପାରିବ। ତେବେ ଏହି ତାଲିକାରେ କିଛି ଏପରି ଖେଳାଳିଙ୍କୁ ସ୍ଥାନ ମିଳିଛି, ଯାହାକୁ ନେଇ କ୍ରିକେଟ୍ କରିଡରରେ ଚର୍ଚ୍ଚା ଜୋର ଧରିଛି।
ସୌରଭ ଗାଙ୍ଗୁଲିଙ୍କ ମତରେ ଟିମ୍ର ଶ୍ରେଷ୍ଠ ପାଞ୍ଚଜଣ ବ୍ୟାଟରଙ୍କ ସ୍ଥାନ ସମ୍ପୂର୍ଣ୍ଣ ସୁରକ୍ଷିତ ଏବଂ ଏଥିରେ କୌଣସି ପରିବର୍ତ୍ତନର ଆବଶ୍ୟକତା ନାହିଁ। ଓପନର୍ ଭାବେ ରୋହିତ ଶର୍ମା ଏବଂ ଯୁବ ତାରକା ଶୁଭମନ୍ ଗିଲ୍ ଦାୟିତ୍ୱ ସମ୍ଭାଳିବେ। ସେହିପରି ଟିମ୍ର ରନ୍ ମେସିନ୍ ବିରାଟ କୋହଲି ୩ ନମ୍ବର ଏବଂ ଶ୍ରେୟସ୍ ଆୟର ୪ ନମ୍ବର ସ୍ଥାନରେ ବ୍ୟାଟିଂ କରିବେ। କେ.ଏଲ୍. ରାହୁଲଙ୍କୁ ୫ ନମ୍ବର ସ୍ଥାନରେ ଏକ ଦାୟିତ୍ୱପୂର୍ଣ୍ଣ ଭୂମିକା ତଥା ୱିକେଟ୍ କିପର୍ ଭାବେ ରଖାଯାଇଛି।
ଦକ୍ଷିଣ ଆଫ୍ରିକାର ପିଚ୍ ଏବଂ ପରିସ୍ଥିତିକୁ ଦୃଷ୍ଟିରେ ରଖି ଗାଙ୍ଗୁଲି ନିମ୍ନକ୍ରମରେ ବ୍ୟାଟିଂ ଗଭରତା ଉପରେ ଗୁରୁତ୍ୱ ଦେଇଛନ୍ତି। ୬ ନମ୍ବର ସ୍ଥାନରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ରଖାଯାଇଥିବାବେଳେ, ୭ ନମ୍ବର ସ୍ଥାନ ପାଇଁ ରବୀନ୍ଦ୍ର ଜାଡେଜା, ଶିବମ ଦୁବେ କିମ୍ବା ୱାଶିଂଟନ୍ ସୁନ୍ଦରଙ୍କ ମଧ୍ୟରୁ ଜଣଙ୍କୁ ଚୟନ କରିବାକୁ ବିକଳ୍ପ ଦିଆଯାଇଛି।
ସେହିପରି ଅକ୍ଷର ପଟେଲଙ୍କୁ ୮ ନମ୍ବର ସ୍ଥାନରେ ରଖାଯାଇଛି ଯିଏ ଦଳକୁ ବ୍ୟାଟିଂରେ ଅଧିକ ମଜଭୁତ କରିବେ। ବୋଲିଂ ବିଭାଗରେ ମହାନ ଦ୍ରୁତ ବୋଲର ଯଶପ୍ରୀତ ବୁମରା, ମହମ୍ମଦ ସିରାଜ ଏବଂ ପ୍ରସିଦ୍ଧ କ୍ରିଷ୍ଣାଙ୍କୁ ନେଇ ଏକ ଶକ୍ତିଶାଳୀ ତିନିଜଣିଆ ପେସ୍ ଆକ୍ରମଣ ଗଠନ କରାଯାଇଛି।
ଗାଙ୍ଗୁଲିଙ୍କ ଦ୍ୱାରା ଚୟନ ୨୦୨୭ ବିଶ୍ୱକପ୍ ପ୍ଲେଇଙ୍ଗ୍ ଇଲେଭେନ୍
ରୋହିତ ଶର୍ମା, ଶୁଭମନ୍ ଗିଲ୍ (କ୍ୟାପ୍ଟେନ୍), ବିରାଟ କୋହଲି, ଶ୍ରେୟସ୍ ଆୟର, କେ.ଏଲ୍. ରାହୁଲ (ୱିକେଟ୍ କିପର୍), ହାର୍ଦ୍ଦିକ ପାଣ୍ଡ୍ୟା, ଶିବମ ଦୁବେ/ୱାଶିଂଟନ୍ ସୁନ୍ଦର/ରବୀନ୍ଦ୍ର ଜାଡେଜା, ଅକ୍ଷର ପଟେଲ, ପ୍ରସିଦ୍ଧ କ୍ରିଷ୍ଣା, ଯଶପ୍ରୀତ ବୁମରା ଏବଂ ମହମ୍ମଦ ସିରାଜ।