ଭୁବନେଶ୍ୱର: ବହୁଚର୍ଚ୍ଚିତ ACF ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ଆସିଛି ଦୁଇଟି ବଡ଼ ଅପଡେଟ୍। ଗୋଟିଏ ପଟେ ମାମଲାରେ ଅଭିଯୁକ୍ତ ତଥା ସୌମ୍ୟରଞ୍ଜନଙ୍କ ପତ୍ନୀ ବିଦ୍ୟାଭାରତୀ ପଣ୍ଡାଙ୍କ ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଥିବା ବେଳେ ଅନ୍ୟପଟେ ଅଭିଯୁକ୍ତ ରୋଷେୟା ମନ୍ମଥ କୁମ୍ଭଙ୍କୁ ପାରଳାଖେମୁଣ୍ଡି ପୁଲିସ ଗିରଫ କରିଛି।
ସୂଚନା ଅନୁସାରେ, ବିଦ୍ୟାଭାରତୀ ପଣ୍ଡା ଓଡ଼ିଶା ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଥିଲେ। ତାଙ୍କ ବିରୋଧରେ ଚାଲିଥିବା ଅପରାଧିକ ମାମଲାକୁ ରଦ୍ଦ କରିବା ସହ ମାମଲାର ବିଚାର ଚାଲିଥିବା ସମୟରେ ଗିରଫରୁ ସୁରକ୍ଷା ଦେବାକୁ ସେ ଆବେଦନ କରିଥିଲେ। ତେବେ ଏହି ଆବେଦନକୁ ସୁପ୍ରିମକୋର୍ଟ ଆଜି ଖାରଜ କରିଛନ୍ତି।
୨୦୨୧ ଜୁଲାଇରେ ଗଜପତି ଜିଲ୍ଲା ପାରଳାଖେମୁଣ୍ଡିରେ ACF ଭାବେ କାର୍ଯ୍ୟରତ ସୌମ୍ୟରଞ୍ଜନ ମହାପାତ୍ର ନିଜ ସରକାରୀ ବାସଭବନରେ ଗୁରୁତର ଦଗ୍ଧ ହୋଇଥିଲେ। ପରେ କଟକରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ତାଙ୍କ ପରିବାର ଏହାକୁ ହତ୍ୟା ବୋଲି ଅଭିଯୋଗ କରି ବିଦ୍ୟାଭାରତୀ ପଣ୍ଡା, ତତ୍କାଳୀନ DFO ସଂଗ୍ରାମ କେଶରୀ ବେହେରା ଏବଂ ରୋଷେୟା ମନ୍ମଥ କୁମ୍ଭଙ୍କ ନାଁ ନେଇଥିଲେ। ପରେ ରାଜ୍ୟ ସରକାର ମାମଲାର ତଦନ୍ତ ଅପରାଧ ଶାଖାକୁ ହସ୍ତାନ୍ତର କରିଥିଲେ।
ଏପଟେ ମାମଲାରେ ରୋଷେୟା ମନ୍ମଥ କୁମ୍ଭଙ୍କୁ ମଧ୍ୟ ଗିରଫ କରିଛି ପାରଳାଖେମୁଣ୍ଡି ପୁଲିସ। ମାନ୍ୟବର SDJM, ପାରଳାଖେମୁଣ୍ଡିଙ୍କ ଅଦାଲତ ଜାରି କରିଥିବା Non-Bailable Warrant (NBW) ବଳରେ ପୁଲିସ ଆଜି ଭୋର ସମୟରେ ତାଙ୍କ ନିଜ ଗାଁରେ ଚଢ଼ଉ କରି ଗିରଫ କରିଛି।
ପୁଲିସ ସୂଚନା ଅନୁସାରେ, ମନ୍ମଥଙ୍କ ବିରୋଧରେ ଭାରତୀୟ ଦଣ୍ଡ ସଂହିତାର ଧାରା ୩୦୨/୧୨୦-ବି ସମ୍ପର୍କିତ ମାମଲା ରହିଛି। ତାଙ୍କୁ ଗିରଫ ପରେ ପରବର୍ତ୍ତୀ ଆଇନଗତ ପ୍ରକ୍ରିୟା ପାଇଁ SDJM, ପାରଳାଖେମୁଣ୍ଡିଙ୍କ ଅଦାଲତରେ ହାଜର କରାଯାଉଛି।