ପୁରୀ : ଦୀର୍ଘ ୬ ବର୍ଷର ପ୍ରତୀକ୍ଷା ପରେ ଆଜି ଭକ୍ତଙ୍କ ପାଇଁ ଖୋଲିଲା ପୁରୀର ଐତିହାସିକ ଶ୍ରୀଗୁଣ୍ଡିଚା ମନ୍ଦିର। ସକାଳ ୭ଟା ୪୫ ମିନିଟ୍ରେ ସର୍ବସାଧାରଣଙ୍କ ପାଇଁ ଖୋଲିଛି । ୨୦୨୦ ମସିହା କୋଭିଡ୍ ମହାମାରୀ ସମୟରୁ ମନ୍ଦିରର ମରାମତି ଓ ସଂରକ୍ଷଣ କାର୍ଯ୍ୟ ପାଇଁ ଏହା ସାଧାରଣ ଭକ୍ତଙ୍କ ଦର୍ଶନ ନିମନ୍ତେ ବନ୍ଦ ରହିଥିଲା। କେବଳ ପ୍ରତିବର୍ଷ ରଥଯାତ୍ରା ସମୟରେ ଶ୍ରୀଜିଉମାନଙ୍କ ଆଡ଼ପ ମଣ୍ଡପ ଦର୍ଶନ ପାଇଁ ଖୋଲା ଯାଉଥିଲା ଅନ୍ୟ ସମୟରେ ଏହା ବନ୍ଦ ରହୁଥିଲା।
ଆଜି ସକାଳେ ସ୍ୱତନ୍ତ୍ର ପୂଜାର୍ଚ୍ଚନା ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସହ ଶ୍ରଦ୍ଧାଳୁମାନେ ମହାପ୍ରଭୁଙ୍କ ଜନ୍ମବେଦୀ ମଧ୍ୟକୁ ପ୍ରବେଶ କରିଛନ୍ତି।
ପ୍ରଥମ ୩ ଦିନ (୩୦ ସେପ୍ଟେମ୍ବରରୁ ୨ ଅକ୍ଟୋବର) ପର୍ଯ୍ୟନ୍ତ ସମସ୍ତ ଭକ୍ତଙ୍କ ପାଇଁ ପ୍ରବେଶ ସମ୍ପୂର୍ଣ୍ଣ ମାଗଣା ରହିବ। ଏହାପରେ ସାଧାରଣ ଭକ୍ତଙ୍କ ପାଇଁ ୧୦ ଟଙ୍କା ପ୍ରବେଶ ଶୁଳ୍କ ଧାର୍ଯ୍ୟ କରାଯାଇଛି। ଛୋଟ ପିଲା, ବରିଷ୍ଠ ନାଗରିକ ଏବଂ ଦିବ୍ୟାଙ୍ଗମାନଙ୍କ ପାଇଁ ପ୍ରବେଶ ସର୍ବଦା ମାଗଣା ରହିବ।
ପ୍ରତିଦିନ ସକାଳ ୬ ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ମନ୍ଦିର ଖୋଲା ରହିବ। ଭକ୍ତଙ୍କ ପାଇଁ ମାଗଣା ଜୋତା ଏବଂ ମୋବାଇଲ୍ ଷ୍ଟାଣ୍ଡର ବ୍ୟବସ୍ଥା କରାଯାଇଛି। ଏହା ସହିତ ଶୃଙ୍ଖଳିତ ଦର୍ଶନ ପାଇଁ ବାରିକେଡ୍ ଏବଂ ଧାଡି ଦର୍ଶନ ବ୍ୟବସ୍ଥା କରାଯାଇଛି।
ଐତିହାସିକ ରୂପାନ୍ତରଣ ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଶେଷ ହେବା ପରେ ମନ୍ଦିର ପ୍ରଶାସନ, ଜିଲ୍ଲା ପ୍ରଶାସନ ଓ ପୋଲିସ ବାହିନୀ ସହଯୋଗରେ ଆଜିଠାରୁ ଭକ୍ତମାନେ ଆଡ଼ପ ମଣ୍ଡପର ଶ୍ରଦ୍ଧାପୂର୍ଣ୍ଣ ଦର୍ଶନ ଲାଭ କରୁଛନ୍ତି।
ନୂତନ ବ୍ୟବସ୍ଥା ଅନୁସାରେ, ଶ୍ରଦ୍ଧାଳୁମାନେ ଗୁଣ୍ଡିଚା ମନ୍ଦିରର ସିଂହଦ୍ୱାର ଦେଇ ଭିତରକୁ ପ୍ରବେଶ କରିବେ। ମନ୍ଦିର ଭିତର ବେଢ଼ା ପରିକ୍ରମା ଏବଂ ଦର୍ଶନ ସରିବା ପରେ ସେମାନେ ପୁଣି ସିଂହଦ୍ୱାର ଦେଇ ବାହାରକୁ ବାହାରିବେ।