ପୁରୀ: ଶ୍ରୀମନ୍ଦିରକୁ ଆସୁଥିବା ଭକ୍ତଙ୍କ ପାଇଁ ବଡ଼ ସୂଚନା। ଆଜି ୪ ଘଣ୍ଟା ପାଇଁ ବନ୍ଦ ରହିବ ଶ୍ରୀଜୀଉଙ୍କ ସର୍ବସାଧାରଣ ଦର୍ଶନ। ବନକଲାଗି ନୀତି ପାଇଁ ସନ୍ଧ୍ୟା ୬ଟାରୁ ରାତି ୧୦ଟା ଯାଏଁ ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ କରିପାରିବେ ନାହିଁ।
ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି। ଦ୍ୱିତୀୟ ଭୋଗମଣ୍ଡପ ନୀତି ଶେଷ ହେବା ପରେ ଶ୍ରୀଜୀଉଙ୍କର ବନକଲାଗି ନୀତି ଆରମ୍ଭ ହେବ। ଏହି ଗୁପ୍ତ ନୀତି ସମୟରେ ଶ୍ରୀଜୀଉଙ୍କ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ।
ବନକଲାଗି ହେଉଛି ଶ୍ରୀଜୀଉଙ୍କ ଏକ ବିଶେଷ ଗୁପ୍ତ ନୀତି। ଏହି ନୀତିରେ ଦଇତାପତି ସେବକମାନେ ମହାପ୍ରଭୁଙ୍କ ଶ୍ରୀମୁଖ ସିଙ୍ଗାର କରିଥାନ୍ତି। ଶ୍ରୀମୁଖରେ ପାରମ୍ପରିକ ରଙ୍ଗ ଓ ଦ୍ରବ୍ୟ ବ୍ୟବହାର କରି ଶ୍ରୀଜୀଉଙ୍କୁ ସଜ୍ଜିତ କରାଯାଏ।
ଏହି ନୀତି ଶେଷ ହେବା ପରେ ପୁଣି ଭକ୍ତଙ୍କ ପାଇଁ ଶ୍ରୀଜୀଉଙ୍କ ସାଧାରଣ ଦର୍ଶନ ସ୍ୱାଭାବିକ ହେବ। ତେଣୁ ଆଜି ସନ୍ଧ୍ୟାରେ ଶ୍ରୀମନ୍ଦିର ଯାଉଥିବା ଭକ୍ତମାନେ ଦର୍ଶନ ସମୟକୁ ଧ୍ୟାନରେ ରଖି ପୁରୀ ଯାତ୍ରା ଯୋଜନା କରିବାକୁ କୁହାଯାଇଛି।