କଟକ: ଚିକିତ୍ସା ପାଇଁ କଟକ SCB ମେଡିକାଲକୁ ଆସିଥିବା ଜଣେ ରୋଗୀଙ୍କ ମୃତ୍ୟୁକୁ ନେଇ ଉଠିଛି ଗୁରୁତର ଅଭିଯୋଗ। SCB ମାନସିକ ରୋଗ ବିଭାଗରେ ସୁରକ୍ଷାକର୍ମୀ ଓ ଆଟେଣ୍ଡାଣ୍ଟଙ୍କ ମାଡ଼ରେ ରୋଗୀଙ୍କ ମୃତ୍ୟୁ ହୋଇଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି। ଏନେଇ ମଙ୍ଗଳାବାଗ ଥାନାରେ ଲିଖିତ ଏତଲା ଦିଆଯାଇଛି।
ଅଭିଯୋଗ ଅନୁସାରେ, ଯାଜପୁର ରୋଡ ଅଞ୍ଚଳର ଶ୍ରୀକାନ୍ତ ଦାସ ମାନସିକ ରୋଗର ଚିକିତ୍ସା ପାଇଁ କଟକ SCB ମେଡିକାଲ କଲେଜ ଓ ହସ୍ପିଟାଲକୁ ଆସିଥିଲେ। ଗତ ୨୮ ତାରିଖରେ ତାଙ୍କୁ ମାନସିକ ରୋଗ ବିଭାଗରେ ଭର୍ତ୍ତି କରାଯାଇଥିଲା।
ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ, ଗତକାଲି ରାତିରେ ବିଭାଗର କିଛି ସୁରକ୍ଷାକର୍ମୀ ଓ ଆଟେଣ୍ଡାଣ୍ଟ ମିଶି ଶ୍ରୀକାନ୍ତଙ୍କୁ ମାଡ଼ ମାରିଥିଲେ। ଏହି ସମୟରେ ବାହାରେ ଥିବା ପରିବାର ଲୋକେ ବାରମ୍ବାର ଅନୁରୋଧ କରିଥିଲେ ମଧ୍ୟ ସେମାନଙ୍କ କଥା ଶୁଣାଯାଇନଥିବା ଅଭିଯୋଗ ହୋଇଛି। ପରେ ପରିବାର ଲୋକେ ଶ୍ରୀକାନ୍ତଙ୍କ ନିକଟକୁ ଯାଇ ତାଙ୍କର ମୃତ୍ୟୁ ହୋଇଥିବା ଜାଣିଥିଲେ। ମୃତଦେହର ବିଭିନ୍ନ ସ୍ଥାନରେ ମାଡ଼ର ଚିହ୍ନ ଥିବା ମଧ୍ୟ ପରିବାର ପକ୍ଷରୁ ଦାବି କରାଯାଇଛି।
ଘଟଣା ପରେ ମୃତକଙ୍କ ପରିବାର ମଙ୍ଗଳାବାଗ ଥାନାରେ ଅଭିଯୋଗ କରିଛନ୍ତି। ମୃତଦେହର ବ୍ୟବଚ୍ଛେଦ ପ୍ରକ୍ରିୟାର ଭିଡିଓଗ୍ରାଫି କରାଯିବ ବୋଲି ଜଣାପଡ଼ିଛି। ତେବେ ଶ୍ରୀକାନ୍ତଙ୍କ ମୃତ୍ୟୁର ପ୍ରକୃତ କାରଣ କଣ, ତାଙ୍କୁ ମାଡ଼ ମରାଯାଇଥିଲା କି ନାହିଁ ଏବଂ ଘଟଣାରେ କାହାର ଭୂମିକା ରହିଛି, ତାହା ପୁଲିସ ତଦନ୍ତ ଓ ବ୍ୟବଚ୍ଛେଦ ରିପୋର୍ଟ ପରେ ସ୍ପଷ୍ଟ ହେବ। ଏପର୍ଯ୍ୟନ୍ତ ଏହି ଅଭିଯୋଗ ନେଇ SCB କର୍ତ୍ତୃପକ୍ଷ କିମ୍ବା ଅଭିଯୁକ୍ତ କର୍ମଚାରୀଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ। ସେମାନଙ୍କ ପ୍ରତିକ୍ରିୟା ମିଳିଲେ ଘଟଣାର ଅନ୍ୟ ପକ୍ଷ ସ୍ପଷ୍ଟ ହେବ।