କେନ୍ଦୁଝର: ଫାର୍ମାସିଷ୍ଟଙ୍କ ଭରସାରେ ସ୍ୱାସ୍ଥ୍ୟ କେନ୍ଦ୍ର । ବିନା ଡାକ୍ତରରେ ଚାଲିଛି ଡାକ୍ତରଖାନା । ହଜାର ହଜାର ଲୋକଙ୍କ ଜୀବନ ସହିତ ଖେଳ । କେନ୍ଦୁଝର ଜିଲ୍ଲା ରାଇସୁଆଁ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଏଭଳି ବିକଳ ଚିତ୍ରକୁ ନେଇ ସାଧାରଣରେ ଅସନ୍ତୋଷ ବୃଦ୍ଧି ପାଇଛି ।
କେନ୍ଦୁଝର ରାଇସୁଆଁ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ ଗୋପୀନାଥପୁର, ରାଇସୁଆଁ, ବାଉରିପଦା, ଜନାର୍ଦ୍ଦନପୁର ସମେତ ଆଖପାଖର ଏକାଧିକ ଗ୍ରାମ ପଞ୍ଚାୟତର ହଜାର ହଜାର ଲୋକ ନିର୍ଭରଶୀଳ। ଡାକ୍ତର ନଥିବାରୁ ରୋଗୀଙ୍କ ପ୍ରାଥମିକ ଚିକିତ୍ସା ପାଇଁ ସାହାଭରସା ଫାର୍ମାସିଷ୍ଟଙ୍କ । ନିକଟରେ ୨୦ ନମ୍ବର ଜାତୀୟ ରାଜପଥ ରହିଥିବାରୁ ବିଭିନ୍ନ ସମୟରେ ଛୋଟ ବଡ଼ ଦୁର୍ଘଟଣା ଘଟୁଥିବାରୁ ଆହତଙ୍କୁ ପ୍ରାଥମିକ ଚିକିତ୍ସା ପାଇଁ ଜଣେ ଡାକ୍ତର ବି ନାହାଁନ୍ତି । ଏପରିକି ରୋଗୀ ଓ କର୍ମଚାରୀଙ୍କ ପାଇଁ ଆବଶ୍ୟକ ଶୌଚାଳୟର ସୁବିଧା ମଧ୍ୟ ନାହିଁ । ସ୍ୱାସ୍ଥ୍ୟ କେନ୍ଦ୍ର ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି । ଆସରାଏ ବର୍ଷା ହେଲେ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଡ୍ରେନେଜ ବ୍ୟବସ୍ଥା ନଥିବାରୁ ବର୍ଷା ପାଣି ଜମି ରହୁଛି । ଯାହାଫଳରେ ରୋଗୀମାନେ ନାହିଁ ନଥିବା ଅସୁବିଧା ର ସମ୍ମୁଖୀନ ହେଉଛନ୍ତି ।
ଦୀର୍ଘ ଦିନ ହେବ ସମସ୍ୟାର ସମାଧାନ ନହେବାରୁ ଶେଷରେ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇ ସ୍ଥାୟୀ ଡାକ୍ତର ନିଯୁକ୍ତି ପାଇଁ ଦାବୀ କରିଛନ୍ତି ସ୍ଥାନୀୟ ବାସିନ୍ଦା । ସେପଟେ ସ୍ୱାସ୍ଥ୍ୟକେନ୍ଦ୍ରକୁ ଅତିଶୀଘ୍ର ଜଣେ ଡାକ୍ତର ନିଯୁକ୍ତ କରାଯିବ ବୋଲି କେନ୍ଦୁଝର ସିଡିଏମଓ ଧନେଶ୍ଵର ସେଠୀ ପ୍ରତିଶ୍ରୁତି ଦେଇଛନ୍ତି ।