ଗଞ୍ଜାମ: ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକର ଡାମପୁର ଗାଁ ନିକଟ ଏକ ମକା କ୍ଷେତରେ ଚାଲିଥିବା ବେଆଇନ ଦେଶୀ ମଦ ପ୍ରସ୍ତୁତି କେନ୍ଦ୍ର ଉପରେ ବୁଧବାର ଚଢ଼ାଉ କରିଛି ଅବକାରୀ ବିଭାଗ ଓ ପୋଲିସର ମିଳିତ ଟିମ୍। ଅଭିଯାନରେ ୧୯,୦୦୦ ଲିଟର ଗୁଡ଼ ମିଶ୍ରିତ ପୋଚ ଓ ୧,୧୦୦ ଲିଟର ପ୍ରସ୍ତୁତ ଦେଶୀ ମଦ ଜବତ କରାଯାଇଛି।
ସୂଚନା ଅନୁଯାୟୀ, ଟି. ଗୋବିନ୍ଦପୁର ପଞ୍ଚାୟତ ଅଧୀନ ଏକ ଦୁର୍ଗମ ଅଞ୍ଚଳରେ ଦୀର୍ଘଦିନ ଧରି ବେଆଇନ ଭାବେ ମଦ ପ୍ରସ୍ତୁତ ହେଉଥିବା ଖବର ପାଇ ମିଳିତ ଟିମ୍ ଚଢ଼ାଉ କରିଥିଲା। ଅଭିଯାନ ସମୟରେ ସାନଖେମୁଣ୍ଡି ଅତିରିକ୍ତ ତହସିଲଦାର ତଥା କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟ ଉପସ୍ଥିତ ଥିଲେ।
ଚଢ଼ାଉ ବେଳେ ମଦ ପ୍ରସ୍ତୁତିରେ ବ୍ୟବହୃତ ବହୁ ସଂଖ୍ୟକ ପ୍ଲାଷ୍ଟିକ ଡ୍ରମ୍, ବାଲ୍ଟି, ରନ୍ଧନ ପାତ୍ର ଓ ଅନ୍ୟାନ୍ୟ ସରଞ୍ଜାମ ମଧ୍ୟ ଜବତ କରାଯାଇଛି। ଜବତ ସମସ୍ତ ପୋଚକୁ ନଷ୍ଟ କରାଯାଇଥିବା ବେଳେ ଘଟଣାକୁ ନେଇ ଅବକାରୀ ବିଭାଗ ୩ଟି ମାମଲା ରୁଜୁ କରିଛି।
ଏହି ବେଆଇନ ମଦ କାରବାର ପଛରେ ଥିବା ମୁଖ୍ୟ ଅଭିଯୁକ୍ତଙ୍କୁ ଚିହ୍ନଟ କରିବା ସହ ସମଗ୍ର ନେଟୱର୍କର ତଦନ୍ତ ଜାରି ରହିଛି ବୋଲି ଅବକାରୀ ବିଭାଗ ସୂଚନା ଦେଇଛି।