ନୂଆଦିଲ୍ଲୀ: ଦେଶର ରେଳ ପ୍ରଗତିକୁ ମିଳିଛି ଆହୁରି ଗତି । ବୁଧବାର ମୋଦୀ କ୍ୟାବିନେଟ୍ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ଓଡ଼ିଶା, ମଧ୍ୟପ୍ରଦେଶ ଏବଂ ଛତିଶଗଡ଼ ରାଜ୍ୟର ୧୪ଟି ଜିଲ୍ଲାକୁ ସଂଯୋଗ କରୁଥିବା ତିନୋଟି ମଲ୍ଟି-ଟ୍ରାକିଂ ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି । ଯାହା ଭାରତୀୟ ରେଳବାଇର ବିଦ୍ୟମାନ ନେଟୱାର୍କରେ ପ୍ରାୟ ୬୫୬ କିଲୋମିଟର ରେଳପଥ ଯୋଡିବ ।
ପ୍ରସ୍ତାବିତ ରେଳ ପ୍ରକଳ୍ପ ମଧ୍ୟରେ ରହିଛି ଖଡ଼ଗପୁର-ଝାରସୁଗୁଡ଼ା (ବାଗଦେହୀ) ଚତୁର୍ଥ ଲାଇନ୍, କଟନୀ-ପେଡ୍ରା ରୋଡ୍ ଚତୁର୍ଥ ଲାଇନ୍ ଏବଂ ବିଳାସପୁର (ଉସଲାପୁର)- ପେଣ୍ଡ୍ରା ରୋଡ୍ ଚତୁର୍ଥ ଲାଇନ ଅନ୍ତର୍ଭୁକ୍ତ । ଏହା ୫ଟି ରାଜ୍ୟର ୪୭୯୦ ଗ୍ରାମକୁ ସଂଯୋଗ କରିବ । ପ୍ରସ୍ତାବିତ ବହୁ-ଟ୍ରାକିଂ ପ୍ରକଳ୍ପ ଦ୍ୱାରା ପ୍ରାୟ ୫୬ ଲକ୍ଷ ଉପକୃତ ହେବେ । କେନ୍ଦ୍ର ସରକାର ଏହି ମଲ୍ଟି ଟ୍ରାକିଂ ରେଳ ଲାଇନ ପ୍ରକଳ୍ପ ପାଇଁ ୧୦,୭୮୩ କୋଟି ଟଙ୍କା ଆବଣ୍ଟିତ କରିଛନ୍ତି । ଏହା ଦ୍ୱାରା ୬୫୬ କିଲୋମିଟର ରେଳ ଲାଇନ ବୃଦ୍ଧି ପାଇବ । ଏହି ପ୍ରକଳ୍ପକୁ ୨୦୨୯-୩୦ ସୁଦ୍ଧା ଶେଷ କରିବାକୁ ସରକାର ଲକ୍ଷ୍ୟ ରଖିଥିବା କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇଛନ୍ତି ।
କେନ୍ଦ୍ର ମନ୍ତ୍ରୀ କହିଛନ୍ତି ଯେ ବର୍ଦ୍ଧିତ ଲାଇନ ଦ୍ୱାରା ଭାରତୀୟ ରେଳବାଇର କାର୍ଯ୍ୟକ୍ଷମ ଦକ୍ଷତା ଏବଂ ସେବା ନିର୍ଭରଯୋଗ୍ୟତା ବୃଦ୍ଧି ପାଇବ। ଏହା କାର୍ଯ୍ୟକୁ ସୁଗମ କରିବା ସହିତ ଭିଡ଼ ହ୍ରାସ କରିବ। ଏହି ପ୍ରକଳ୍ପଗୁଡ଼ିକ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ 'ନୂତନ ଭାରତ' ଦୃଷ୍ଟିକୋଣ ସହିତ ସମାନ । ଏହା ଦ୍ୱାରା ଦେଶର ବିଭିନ୍ନ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ସହିତ ରେଳ ସଂଯୋଗୀକରଣରେ ଉନ୍ନତି ଆସିବ । ଯେପରିକି ତାରାତାରିଣୀ ମନ୍ଦିର, ଝାରସୁଗୁଡ଼ା ନିକଟରେ ଥିବା ପ୍ରାଚୀନ ଜଗନ୍ନାଥ ମନ୍ଦିର, ବାନ୍ଧବଗଡ଼ ବ୍ୟାଘ୍ର ସଂରକ୍ଷଣ, ବିରାଟେଶ୍ୱର ମନ୍ଦିର, ଅମରକଣ୍ଟକ ମନ୍ଦିର, ଜ୍ୱାଳେଶ୍ୱର ଧାମ, ଅଚନକମାର ବ୍ୟାଘ୍ର ସଂରକ୍ଷଣ, ଖୁଟାଘାଟ ଡ୍ୟାମ୍, ମଲହାର ପ୍ରତ୍ନତାତ୍ତ୍ୱିକ ସ୍ଥଳ ଏବଂ ରତନପୁର ମହାମାୟା ମନ୍ଦିର।
ପ୍ରସ୍ତାବିତ ପ୍ରକଳ୍ପଗୁଡ଼ିକରେ କୋଇଲା, ସିମେଣ୍ଟ, ଲୁହା ଏବଂ ଇସ୍ପାତ ଭଳି ସାମଗ୍ରୀ ପରିବହନ ପାଇଁ ଅନୁକୂଳ ହେବ । ଏହା ଦ୍ୱାରା ବାର୍ଷିକ ୨୭ ନିୟୁତ ଟନ୍ ଅତିରିକ୍ତ ମାଲ ପରିବହନ କ୍ଷମତା ସୃଷ୍ଟି ହେବ। ଦେଶର ଲଜିଷ୍ଟିକ୍ସ ଖର୍ଚ୍ଚ ହ୍ରାସ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ଏହା ଦ୍ୱାରା ତୈଳ ଆମଦାନୀ ପ୍ରାୟ ୧୨୦ ନିୟୁତ ଲିଟର ହ୍ରାସ ଏବଂ କାର୍ବନ ଡାଇଅକ୍ସାଇଡ୍ ନିର୍ଗମନ ପ୍ରାୟ ୬୨୦ ନିୟୁତ କିଲୋଗ୍ରାମ ହ୍ରାସ କରିବ ଯାହା ୨୪.୮ ନିୟୁତ ଗଛ ଲଗାଇବା ସହିତ ସମାନ।