ରାୟଗଡ଼ା: ପୁଣି ନିର୍ମାଣାଧୀନ ପାଇଖାନା ଟାଙ୍କି ନେଲା ଜୀବନ । ନିର୍ମାଣଧୀନ ପାଇଖାନା ଟାଙ୍କିରେ ଶ୍ୱାସରୁଦ୍ଧ ହୋଇ ତିନି ଜଣ ଶ୍ରମିକ ପ୍ରାଣ ହରାଇଛନ୍ତି । ରାୟଗଡ଼ା ଜିଲ୍ଲା ପଦ୍ମପୁର ଅନ୍ତର୍ଗତ ଗୁଲୁଗୁଡ଼ା ପଞ୍ଚାୟତ ତାରପାଗୁଡ଼ା ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି । ସମସ୍ତ ମୃତ ଶ୍ରମିକ ଜୀବଜଗତପୁର ଗ୍ରାମର ବାସିନ୍ଦା ବୋଲ ପ୍ରାଥମିକ ସୂଚନାରୁ ଜଣାପଡ଼ିଛି । ମୃତକମାନେ ହେଲେ ପଦ୍ମପୁର ବ୍ଲକ ଜୀବଜଗତପୁର ଗାଁର ହରିଶ୍ଚନ୍ଦ୍ର ବୀର, ଆଲୋକ କରଡ଼ା ଏବଂ ପ୍ରକାଶ ଲିମା। ଏହି ମୃତକଙ୍କ ମଧ୍ୟରେ ଜଣେ ମିସ୍ତ୍ରୀ ମଧ୍ୟ ଥିବା ଜଣାପଡ଼ିଛି।
ସୂଚନା ଅନୁସାରେ ତାରପାଗୁଡ଼ା ଗାଁରେ ଏକ ନିର୍ମାଣାଧୀନ ପାଇଖାନାରେ ଶ୍ରମିକମାନେ ସେଣ୍ଟ୍ରିଂ ଖୋଲୁଥିଲେ । ଏହି ସମୟରେ ଜଣକ ଉପରେ ସେଣ୍ଟ୍ରିଂ ପଡ଼ିଯାଇଥିଲା। ପାଇଖାନା ଟାଙ୍କି ଭିତରେ ସେମାନେ ଅଣନିଃଶ୍ୱାସୀ ହୋଇଯାଇଥିଲେ । ସ୍ଥାନୀୟ ଲୋକେ ତୁରନ୍ତ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଅଗ୍ନିଶମ ବାହିନୀ ସେଠାରେ ପହଁଚି ଗୁରୁତର ଶ୍ରମିକମାନଙ୍କୁ ଟାଙ୍କି ଭିତରୁ ଉଦ୍ଧାର କରି ମେଡ଼ିକାଲରେ ଭର୍ତ୍ତି କରିଥିଲେ । ମାତ୍ର ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଛନ୍ତି । ଏହା ପରେ ଗାଁରେ ଶୋକର ଛାୟା ଖେଳି ଯାଇଛି ।